Unknown

 

 

 

 

 

 

 

 

 

 

 

ଅଗ୍ରଗାମୀ

ନିତ୍ୟାନନ୍ଦ ଆଚାର୍ଯ୍ୟ

 

ପରିଚୟୋକ୍ତି :–

 

ସନେଟ୍ ମାଧ୍ୟମରେ ମନର ଗହନ ଗୁହାରେ ଆଧ୍ୟାତ୍ମିକ ଆଲୋକର ଅବତରଣକୁ ଲିପିବଦ୍ଧ କରିବା ଏକ ବିଶିଷ୍ଟ କଳା । ଏଥିପାଇଁ କେବଳ ଯେ ଏକ ବଳିଷ୍ଠ ଦାର୍ଶନିକ ବୃତ୍ତି ଓ ପିଷ୍କପଟ ଅନ୍ତର୍ମୂଖୀନ ଅନୁଶୀଳନ ଆବଶ୍ୟକ ତାହା ନୁହେଁ; ବରଂ ଏକ ସ୍ୱତଃ ସ୍ଫୂର୍ତ୍ତ ଅନ୍ତଃଚେତନା ତତୋଧିକ ସ୍ପୃହଣୀୟ । ପ୍ରସ୍ତୁତ ସନେଟ୍ ସଂଗ୍ରହରେ, ଚେଷ୍ଟା ଓ ଚରିତ୍ରର ମାପଦଣ୍ଡ ଦୃଷ୍ଟିରୁ ଅନ୍ତଃଚେତନାର ଆଭିମୁଖ୍ୟ ବା Apocalyptic Approach ଅତି ସ୍ପଷ୍ଟ ।

ସମସ୍ତ ସନେଟ୍ ଗୋଟିଏ ନିଶ୍ୱାସରେ ପଢ଼ି ହେଲା ପରି ଲିଖିତ । ସତେ ଯେପରି ଚିନ୍ତନ ସୂକ୍ତିକାର ସମାହାରରେ ଗ୍ରଥିତ ଏଇ ସନେଟ୍ ସଂଗ୍ରହ । ପ୍ରତ୍ୟେକ କବିତା ଏକ ମାଇଲ୍ ଖୁଣ୍ଟ, ଅଥଚ ନିଜ ଭିତରେ ତାହା ସଂପୂର୍ଣ୍ଣ ନୁହେଁ, ଅନ୍ୟ କବିତାରୁ ତାହା ବିଚ୍ଛିନ୍ନ ନୁହେଁ ଏବଂ ମିଳିତ ରୂପେ ଅଶେଷର ସୂଚକ—ସୃଷ୍ଟିର ଅସୀମତାର ଦ୍ୟୋତକ । ମୁଖ୍ୟତଃ ଏଇ କାରଣରୁ ‘‘ଅଗ୍ରଗାମୀ’’ର ଦାର୍ଶନିକତା ଅନ୍ତଃସାର ଶୂନ୍ୟ ନୁହେଁ ।

ଅଗ୍ରଗାମୀ ସଂକୀର୍ଣ୍ଣ ନୁହେଁ, ସୀମିତ ନୁହେଁ ତାର ବ୍ୟାପ୍ତି ସାରା ପୃଥିବୀ, ତାର ଆବେଦନ ସାରା ମାନବ ଜାତିର ସଂବେଦନଶୀଳମନ । ମାନବତାର ଅଶ୍ରୁ ଓ ଆନନ୍ଦର ପ୍ରତିଶ୍ରୁତି, ସମସ୍ୟା ଓ ସମାଧାନର ସମୀକରଣ, ଆଶା ଓ ନିରାଶାର ମୂଲ୍ୟାଙ୍କନ ଅଗ୍ରଗାମୀର ପାଥେୟ ।

ତେଣୁ ଅଗ୍ରଗାମୀ ଏକ କ୍ରନ୍ଦନ ନୁହେଁ—‘‘କା ତବକାନ୍ତା କସ୍ତେ ପୁତ୍ରଃ’’ର ରୂପାନ୍ତର ନୁହେଁ । ଅଗ୍ରଗାମୀର ବଳିଷ୍ଠ ପ୍ରଶ୍ନ ସାରା ମାନବ ଜାତି ପ୍ରତି ଉଦ୍ଦିଷ୍ଟ, ମଣିଷ ଜାତି ତା’ର ସହସ୍ର ସମସ୍ୟାର ସମାଧାନ କରିବାରେ ବିଫଳ ହୋଇ ଆଜି ଅନନ୍ତ ଆକାଶର ବକ୍ଷରେ ସ୍ଫୁଟନିକ୍ ଛୁଟାଉଛି, ପୃଥିବୀରେ ଅଶ୍ରୁର ବନ୍ୟା ବହି ଚାଲିଥିବାବେଳେ ମଣିଷର କଳ୍ପନା ଚନ୍ଦ୍ରଲୋକରେ ଉପନିବେଶ ଖୋଜୁଛି । ଜଣେ ବିଶିଷ୍ଟ ପୋଲାଣ୍ଡବାସୀ କବି କହିଲା ପରି—

‘‘ସଂସାରର ସହସ୍ର ସମସ୍ୟାର ସମାଧାନରେ ବିଫଳ

ମଣିଷ ଆଜି ପଳାୟନ ପନ୍ଥୀ

ସେ ଖୋଜୁଛି ଚନ୍ଦ୍ରମଣ୍ଡଳରେ ଉପନିବେଶ

ଆତ୍ମଗୋପନ ପାଇଁ ଏତେ ଟିକେ ସ୍ଥାନ ।’’

ଠିକ୍ ସେଇ ଭାବନାର ପ୍ରତିଧ୍ୱନି ମିଳେ ଅଗ୍ରଗାମୀର ନିମ୍ନ ପଙ୍‍କ୍ତିରୁ :—

‘‘ଶାନ୍ତିର କପୋତ ଉଡ଼େ ଅଶାନ୍ତ ଅମ୍ୱରେ

ଅନନ୍ତ ଆକାଶ ଦେହେ ଅନ୍ତ ଖୋଜେ ନର

ଏ ଧରାର ଆକର୍ଷଣେ ନିରାଶା ସଂଚରେ

ତେଣୁ ସିନା ଶୂନ୍ୟାକାଶେ ସେ ହୁଏ ଅସ୍ଥିର ।’’

 

ଅଗ୍ରଗାମୀର ଦୃଷ୍ଟିକୋଣ ଅନ୍ୟ ଏକ ପଦରୁ ଆହୁରି ସ୍ପଷ୍ଟ ହୋଇଉଠୁଛି ।

 

‘‘ଭାବିଲେ ଜୀବନ ଅଟେ ତପ୍ତ ମରୁବାଲି

ନାହିଁ ଅବସର, ଯାତ୍ରୀ ମରେ ଚାଲି ଚାଲି ।

ଭାବିଲେ ଜୀବନ ଗଢ଼ା ସୁଧା ଉପାଦାନେ

ଚିର ଶାନ୍ତିର ଆଳୟ, ସୁର ସୁଖ ଆଣେ ।’’

 

ପରିଶେଷରେ କବିଙ୍କ ଲେଖନୀରୁ ଧାଡ଼ିଟିଏ ଉଦ୍ଧାର କରି ଦେଲେହିଁ ତାଙ୍କ ଦାର୍ଶନିକ ମନର ସମାଧାନ ସ୍ପଷ୍ଟ ହୋଇ ଉଠିବ ।

 

‘‘ବୃଥା ଭାବନାରେ ତେବେ କିପାଁ ହେବି ବଶ

ବାହିନେବି ନାବ ଅଗ୍ରେ ନ ହୋଇ ଅବଶ ।’’

 

ବସ୍ତୁତଃ ଅଗ୍ରଗାମୀ ଏକ ପ୍ରଶ୍ନବାଚୀ ନୁହେଁ କି ?

 

କବି କୁଟୀର

 

ବଲାଙ୍ଗିର

ଶ୍ରୀ ଶ୍ୟାମସୁନ୍ଦର ଦାସ ବି. ଏ.

☆☆☆

 

ପଦେ–

 

ଆଜିର ଦୁନିଆଁରେ ବ୍ୟକ୍ତି ବିଶେଷର ସ୍ଥାନ କାହିଁ ? ଜନ ସମୁହର କଲ୍ୟାଣ ଉପରେ ଜଣର ମୌଳିକ ଅଧିକାର ପର୍ଯ୍ୟବସିତ । ତେଣୁ ସାଦାରଣ ମଣିଷ ଯେତେ ପରାକ୍ରମଶାଳୀ ହେଉ ନା କାହିଁକି, ଜନତାର ସ୍ୱାର୍ଥ ବ୍ୟତୀତ ନିଜ ପାଇଁ ବଂଚି ରହିବା ବାସନା ବ୍ୟଥା ଦାୟକ ହେବ ସିନା-?

 

ମଣିଷ ଅଳ୍ପାୟୁ–ମାନବ ସମାଜ ଦୀର୍ଘ ଜୀବୀ । ବ୍ୟକ୍ତି ବିଶେଷର ମୃତ୍ୟୁ-ମହାସାଗର ବକ୍ଷରେ ଅସ୍ତିତ୍ୱ କାହିଁ ? ସମୂହ ମାନବର ମୁହୁର୍ମୁହୁ ଉଦ୍ୟମରେ ଯୁଗ ଯୁଗ ଧରି ମଣିଷ ମୃତ୍ୟୁ ସିନ୍ଧୁ ଡେଇଁ ଆଗକୁ ଚାଲିଛି । ତାହାର ସ୍ଥିତି ନିଶ୍ଚିତ, ଗତି ଅବାରିତ ।

 

ଆକ୍ଷରିକ ଅର୍ଥରେ ସ୍ଥିତି ଓ ଗତି ଦୁଇଟି ବିରୋଧାତ୍ମକ ଶବ୍ଦ । ତେଣୁ ଗତି ଓ ସ୍ଥିତି ମଂଗଳ ମୂଳରେ ଥାଇ ମଧ୍ୟ ସେମାନଙ୍କର ବିରୋଧାତ୍ମକ ଗୁଣ ମନ ଉପରେ ଯୁଗେ ଯୁଗେପ୍ରଭାବ ପକାଇ ଆସିଛି । ସଂଘର୍ଷ ସ୍ୱାଭାବିକ । ସଂଘର୍ଷକୁ ବାଦ ଦେଲେ ବିକଶିତ ହେବାକୁ ଉନ୍ନତ ଚିନ୍ତାର ଉଦ୍ଭବ ହୋଇ ପାରିବ ନାହିଁ ।

 

ଗୌରବର କଥା, ଆଜି ଉନ୍ନତ ଚିନ୍ତାର ଅଭାବ ନାହିଁ; କିନ୍ତୁ ବିନାଶର ପଥ ମଧ୍ୟ ପରିଷ୍କାର ! ଯେଉଁ ସଂଘର୍ଷ ଦିନେ ମାନବ ସମାଜର ବକାଶ ପାଇଁ ସାହାଯ୍ୟ କରୁଥିଲା, ତାହା ଆଜି ବିନାଶ ପାଇଁ ତତ୍ପର !

 

ଆଜି ବିକାଶ ପାଇଁ ବିନାଶ-ସାମଗ୍ରୀର ସମୁଦ୍ଭବ ନ ବିନାଶ ପାଇଁ ବିକାଶ ପଥ ସମୁଜ୍ଜ୍ୱଳ-ବୁଝି ହେଉ ନାହିଁ । ମନେ ହୁଏ ନିଜର ବିନାଶ ପାଇଁ ମଣିଷର ମନ ଆଜି ଉଦ୍ବେଗ ପୂର୍ଣ୍ଣ ବିଷାୟୁକ୍ତ, ଜୀବାଣୁମୟ, ତଥା ମହା ମାରାତ୍ମକ ମାରଣାସ୍ତ୍ର ଆଜି ଧରଣୀର ବକ୍ଷେ ବକ୍ଷେ ସଂରକ୍ଷିତ-। ତେଣୁ ଆଶା ଓ ବିଚିତ୍ର ଆକାଂକ୍ଷାର କୁପ୍ରଭାବରେ ପଡ଼ି ମଣିଷ ସତ୍ମାର୍ଗ ହରାଇ ବସୁଛି-। ଫଳତଃ ସମାଜର ସ୍ତରେ ସ୍ତରେ ବିଶୃଙ୍ଖଳା ଦେଖା ଯାଉଁଛି ଆସୁରିତ ଭାବର ଉଦ୍ଭବ ହୋଇଛି ।

 

ବିନାଶର ବକ୍ଷରେ ବାସ କରି ମଧ୍ୟ ଅଗ୍ରଗାମୀର ଆବାହନରେ ମଣିଷ ଯୁଗେ ଯୁଗେ ଉତ୍ସାହିତ । ତେଣୁ ‘‘ଅଗ୍ରଗାମୀ’’ର ଜନ୍ମ ।

 

ଏଇ ବହିଟିକୁ ଲେଖିବାରେ ମୋର କବି ବନ୍ଧୁ ଶ୍ରୀନିବାସ ଉଦ୍ଗାତା, ଡା: କିଶୋରଚନ୍ଦ୍ର ପୁରୋହିତ, ଶ୍ରୀ ହରିଶ୍ଚନ୍ଦ୍ର ଉଦ୍ଗାତା, ଶ୍ରୀ ଗୋପୀନାଥ ଯୋଷୀ ଓ ଶ୍ରୀ ସୀତାରାମ ପାଣିଗ୍ରାହୀଙ୍କ ଠାରୁ ସବିଶେଷ ଉତ୍ସାହ ପାଇଥିବାରୁ ମୁଁ ସେମାନଙ୍କଠାରେ ଚିର କୃତଜ୍ଞ ।

 

ଅଗ୍ରଗାମୀର ପରିଚୟୋକ୍ତି ରଚନାର ଶ୍ରମ ସ୍ୱୀକାର କରି ପ୍ରିୟତମ ଶ୍ୟାମ ଭାଇ ମୋତେ ତାଙ୍କ ନିକଟରେ କୃତଜ୍ଞ କରିଛନ୍ତି ।

 

କବିତା ଭବନ

ବିନୀତ

ଅଗଷ୍ଟ ପନ୍ଦର ୧୯୬୧

ନିତ୍ୟାନନ୍ଦ

☆☆☆

 

 

 

 

 

 

 

 

 

 

ବିଶ୍ୱ-ଜନତାର ଚରଣ ତଳେ

 

‘ଲେଖକ’

 

 

 

 

 

 

 

ଜ୍ଞାନର ଗାରିମା ଆଜି ଅଜ୍ଞାନ ତିମିରେ ପାଏ ନାହିଁ, ପାଏ ନାହିଁ, ପାଏ ନାହିଁ ରାହା ଅଭିସାର ହୁଏ ଆଜି ମୃତ୍ୟୁ-ପାରାବାରେ ଲୁପ୍ତ ହେବ ମାନବର ପଦ ଚିହ୍ନ ଯାହା ।

 

‘‘ଅଗ୍ରଗାମୀ’’

 

ସୂଚୀପତ୍ର

 

୧.

ବିମୁକ୍ତ ଆକାଶ ତଳେ

୨.

ମାନବ ଦାରିଦ୍ର୍ୟ ଧାଏଁ

୩.

ସୀମିତ ହୋଇଛି ଆଜି

୪.

ଶାନ୍ତିର କପୋତ ଉଡ଼େ

୫.

ବିପ୍ଲବର ରୂପ ରେଖ

୬.

ଅନନ୍ତ ନର ସାଗରେ

୭.

ଔଦ୍ଧତ୍ୟର ସୀମାରେଖା

୮.

ଏଡ଼ିବାକୁ ମୃତ୍ୟୁ ଏ ଯେ

୯.

ପେଟ ପୋଷ ନାହିଁ ଦୋଷ

୧୦.

ସଭ୍ୟତା ନାମେ ସତତ

୧୧.

ଆଜି ବିଂଶ ଶତାବ୍ଦୀର

୧୨.

ଆଶା ଆଉ ନିରାଶାର

୧୩.

ଯେଉଁ ମନ ମାନବର

୧୪.

ବିଶ୍ୱବକ୍ଷେ ଯୋଜନାର

୧୫.

ସୁଖୀର ନୟନେ ସୁଖ

୧୬.

ଜଗତେ ହୋଇଛି ଗତ

୧୭.

ଧର୍ମ ଲଭେ ପରାଭବ

୧୮.

ବିଲୋକେ ନାହିଁ ମାନବ

୧୯.

ସତ୍ୟ ଆଜି ପରାହତ

୨୦.

ତଥାପି ଜାଗିଛି କାହିଁ

୨୧.

ମାନବର ମାନବତା

୨୨.

ଅଳ୍ପାୟୁ ଜୀବନେ ସଦା

୨୩.

ପ୍ରକୃତିର ବକ୍ଷେ ଯହିଁ

୨୪.

ବିଶ୍ଲେଷଣ ଗାରିମାର

୨୫.

ବିଶ୍ୱର ପରାଣେ ଆଜି

୨୬.

ଅଭିମାନ, ଆତ୍ମ ତୃପ୍ତି

୨୭.

ଅପ୍ରସନ୍ନ ଭାବ ଖେଳେ

୨୮.

ବିଦ୍ୱେଷ ଜାଗିଛି ଆଜି

୨୯.

ସୁଶୀତଳ ଧରାବକ୍ଷେ

୩୦.

ଏକ ମାନବର ଆଜି

୩୧.

କାମ, କ୍ରୋଧ, ଲୋଭ, ମୋହ

୩୨.

ଭୂମା ମୃତର ନେଇଛି

୩୩.

ମାନବ ଜୀବନ ରାଜ୍ୟେ

୩୪.

ଈଶ୍ୱର ବିଶ୍ୱାସ ଆଜି

୩୫.

ନିରାଶ ଅନ୍ତରେ ମୋର

୩୬.

ପୂର୍ବ ଜନ୍ମର ସୁକୃତେ

୩୭.

ଏ ଶତାବ୍ଦୀ ଅର୍ଦ୍ଧପଥେ

୩୮.

ସଭ୍ୟତାର ଶେଷସୀମା

୩୯.

ରାଜନୀତି ନାମ ଚାଲେ

୪୦.

ଆଜିର ମାନବ ଭୁଲି

୪୧.

ମାନବ ଜୀବନ ଆଜି

୪୨.

ସୂକ୍ଷ୍ମ ଭାବନାରେ ଯେବେ

୪୩.

ଆୟୁଷ୍ମାନ ପଂଚଭୂତ

୪୪.

ଏ ଆତ୍ମାର ଇତିହାସ

୪୫.

ଅବିନାଶୀ ଆତ୍ମା ଧାଏଁ

୪୬.

ସନ୍ଦେହ ଆଣେ ମାନସେ

୪୭.

ସୃଜନର ଅନାସକ୍ତ

୪୮.

ମଣିଷ ଜୀବନ ସେ’ତ

୪୯.

ପରିବାର ପାରାବାର

୫୦.

ପୃଥିବୀ, ଅମ୍ୱୁ, ଆକାଶ

୫୧.

ଶ୍ରଦ୍ଧାଯୁକ୍ତ ମନ ନେଇ

୫୨.

ଭକ୍ତି ବିନା ଜ୍ଞାନ ମାର୍ଗ

୫୩.

ଏ ମର ଜୀବନେ ଯେବେ

☆☆☆

 

ଅଗ୍ରଗାମୀ

 

ବିମୁକ୍ତ ଆକାଶ ତଳେ ବଂଚିବା ବାସନା

ପ୍ରଲୁବ୍ଧ କରେ ମାନବେ ଯୁଗ ଯୁଗ ଧରି ।

ଦିବସ ରଜନୀ ବକ୍ଷେ ଆଶା, ପ୍ରବଂଚନା;

ବ୍ୟଥାର ମହୋର୍ମି ଚିରି ଅଗ୍ରଗାମୀ ତରୀ ।

ପୂର୍ବାକାଶେ ତପନର ନିତି ଉଦୟନେ–

ପଦ୍ମ ରଂଗ ରାଗ ଧରେ ମୁରୂର୍ଷୁ ମାନସ;

ବଂଚିବାର ଶତ ଆଶା ଜାଗେ ମୋ ପରାଣେ;

ପ୍ରବଂଚନା-ପ୍ରଭଂଜନ ପରଶେ ଅବଶ ।

ବ୍ୟୋମୁଁ ବ୍ୟୋମେ ଧାଏଁ ଯେବେ ମାନବର ଆଶା

ହଜି ଯାଏ; ଘୂରି ବୁଲେ ଅଣହୁଡ଼ା ପଥେ ।

ମହାଶୂନ୍ୟେ ଘୂର ବୁଲେ ଜ୍ଞାନର ପିପାସା

ବଂଚିବାର ଶତ ଆଶା ଧାଏଁ ତା’ର ସାଥେ ।

ଶୁଷ୍କ ଆଜି ଧରା ବକ୍ଷେ ଆଶାର ସୌରଭ

ଅଳ୍ପାୟୁ ମାନବ ଶୂନ୍ୟେ ଲଭିବ ଗୌରବ ?

ମାନବ–ଦାରିଦ୍ର୍ୟ ଧାଏଁ କାଳର ଛାତିରେ;

ବିଜ୍ଞାନର ଛୁଂଚି ମୁନେ ହୁଏ ଅଭିଯାନ ।

ଜୀବନ ବଂଚନା ଅବା ମୃତ୍ୟୁର ସ୍ଥିତିରେ;

କବନ୍ଧ ନାଚିବ ଶେଷେ ହୁଏ ବା ବିଧାନ ।

ଭବିଷ୍ୟତ କୋଳେ ନିଦ୍ରାଗତ ଭବିତବ୍ୟ,

ଧ୍ୱଂସର ତାଣ୍ଡବ ଅବା ବଂଚିବାର ମୋହ;

ସ୍ୱପ୍ନିଳ ଆନନ୍ଦ ତା’ର ସୁପ୍ତି–ଉପଜୀବ୍ୟ—

ବୁଝିବାକୁ କାହିଁ ଆଜି ଭାବର ପ୍ରବାହ ?

ଔଦ୍ଧତ୍ୟ ଓ ମଦାନ୍ଧର ଆଜି ମଣିଷତା,

ହଜି ଅଛି ହାୟ ଆଜି ସୁଜ୍ଞାନ ତାହାର !

ବିଜ୍ଞାନ ପରଶେ ମ୍ଲାନ ପ୍ରଜ୍ଞାର ସବିତା

ପ୍ରବଂଚନା-ପାରାବାରେ ଜାଗିଛି ଜୁଆର ।

ଧାଇଁଛି ବିଜ୍ଞାନ ଆଜି ମନ-ବେଗ ଜିଣି,

ଅଜ୍ଞାନର ବାଚାଳତା; ହସୁଛି ମଶାଣି !

ସୀମିତ ହୋଇଛି ଆଜି ମଣିଷର ଆଶା

ଏକ ମାତ୍ର ବଂଚିବାର ପ୍ରୟାସ ଓ ତୃଷା ।

ଜନ୍ମ ଦିଏ କଷ୍ଟ ଆଜି, ମୃତ୍ୟୁହିଁ ଭରସା;

ତଥାପି ମୃତ୍ୟୁ ବାରଣେ ଜାଗ୍ରତ ପିପାସା ।

ଭଲ ମନ୍ଦ ବୁଝିବାକୁ ଅକ୍ଷମ ମାନବ,

ହୁଡ଼ି ଅଛି ପଥ ସେହୁ ବିଭ୍ରମରେ ପଡ଼ି ।

ସନ୍ତର୍ପଣେ ଅସତ୍ୟର ଜାଗେ ଅନୁଭବ;

ପରାହତ ପକ୍ଷୀ ସମ ସତ୍ୟ ଯାଏ ଉଡ଼ି ।

ବିଦଗ୍‍ଧ ମାନସ ଖୋଜେ ଶାନ୍ତି-ସରୋବର

ଅନନ୍ତ ଭାବ-ସଲିଳ ବାଷ୍ପ ରୂପ ଧରେ;

ଘନୀଭୂତ ପୀଡ଼ା ସଦା ବର୍ଷଣ ମୁଖର

କାହିଁ ସୁଖ, କାହିଁ ଶାନ୍ତ ଆଉ ଏ ଧରାରେ ?

ଶାନ୍ତି ନାମେ ଅଶାନ୍ତିର ହୁଏ ଅଭିଯାନ

ବିଜ୍ଞାନ କବଳେ ପଡ଼ି ପ୍ରଜ୍ଞା ହୁଏ ମ୍ଲାନ ।

ଶାନ୍ତିର କପୋତ ଉଡ଼େ ଅଶାନ୍ତ ଅମ୍ୱରେ

ଅନନ୍ତ ଆକାଶ ଦେହେ ଅନ୍ତ ଖୋଜେ ନର ।

ଏ ଧରାର ଆକର୍ଷଣେ ନିରାଶା ସଂଚରେ,

ତେଣୁ ସିନା ଶୂନ୍ୟ କାଶେ ହୁଏ ସେ ଅସ୍ଥିର !

ଶୂନ୍ୟମାର୍ଗ ଅଭିଯାନେ ପଥିକ ତତ୍‍ପର

ଭଂଗୁର ଶରୀରେ ଖୋଜେ ଅମୃତ ପରଶ ।

ଆଶାର ବିଚିତ୍ର ଚିନ୍ତା, ଅସରନ୍ତି ଝର;—

ଆଣେ କିବା ଜାଗରଣ, ଅସୀମ ହରଷ ?

ମୃତ୍ତିକା ଲଭିଛି ଅବା ମୃତ୍ୟୁର ପରଶ;

ଧରାବକ୍ଷେ ଅଶାନ୍ତିର ବିଚିତ୍ର ଜୁଆର ।

ଗ୍ରାମ ଗ୍ରାମାନ୍ତରେ ଆଜି ଜାଗିଛି ବିଦ୍ୱେଷ

ଦେଶ ଦେଶାନ୍ତରେ ହୁଏ ଯୁଦ୍ଧର ସମ୍ଭାର ।

ଅଶାନ୍ତିର ଅଗ୍ନିଶିଖା ନିର୍ବାପନ ପାଇଁ

ମାନବର ଶୁଷ୍କ ମନେ ପ୍ରଜ୍ଞା ଅବା କାହିଁ ?

ବିପ୍ଲବର ରୂପରେଖ ହୁଏ ନାହିଁ ଜାଣି,

ଶାନ୍ତିର ସନ୍ଧାନେ ଆଜି ନରମୁଣ୍ଡ ମାଳେ—

ବିମଣ୍ଡିତ ଧରା; ବହେ ଶୋଣିତ ଉଜାଣି—

ନିଃସହାୟ କିଏ ମରେ କ୍ରନ୍ଦନର ରୋଳେ ।

ଶୋଷକର ଶୁଷ୍କ ମନେ ନୀରସ ପ୍ରବାହେ

ନିର୍ମମ ପ୍ରହାର ପଡ଼େ ନିରୀହ ଜୀବନେ ।

ଅରଣ୍ୟ-ରୋଦନ-ରତ ନର କିଏ ଧାଏଁ

ମୂକ ତୁମେ ବିଶ୍ୱବାସୀ ରହିଛ ବିଜନେ !

କ୍ରନ୍ଦନ ମୁଖର ପ୍ରାଣେ ଦେବାକୁ ସାନ୍ତ୍ୱନା

ଅବସର କାହିଁ ଆଜି ଏ ମହା ଜାତିର !

ଜଗି ରହେ ପଥ ସଦା ଯୁଗ-ପ୍ରବଂଚନା,

ହଜି ଅଛି, ମରି ଅଛି ସଦ୍‍ଭାବ ପ୍ରୀତିର ।

ପ୍ରବଂଚନା-ପୂର୍ଣ୍ଣ ଆଜି ମାନବର ମନ—

ବୃଥା ଆଜିର କଳ୍ପନା, ବୃଥା ଅଭିଯାନ ।

ଅନନ୍ତ ନର-ସାଗରେ ଉତ୍‍ଥିତ ବାସନା

ନାହିଁ ଆଜି ଭାବନାର ମୁକ୍ତ ଅଧିକାର ।

ଆଶାର ହିଲ୍ଲୋଳ ଯେବେ ଜଗାଏ କାମନା

ଦେଖୁଛି ମୁଁ ଚଉଦିଗେ ଉଠିଛି ପ୍ରାଚୀର ।

ସ୍ୱାର୍ଥର ପ୍ରହରୀ ହାତେ ଅସ୍ତ୍ର ଭୟଙ୍କର

ଜଗାଏ ମାନବ ମନେ ଭୀତି ଭ୍ରାନ୍ତି ଆଜି ।

ହିଂସା ଅବା ଅହିଂସାର ତୋଳିଛି ଝଙ୍କାର

କ୍ଷଣେ କ୍ଷଣେ ହଜି ଯାଏ ସୁ-ଭାବନା ରାଜି !

ସ୍ମିତ ହାସ୍ୟ ଦେଖେଁ ଯେବେ ବନ୍ଧୁର ଲପନେ

ଭାବ ମୋର ପୁଲକିତ ଆଶାର ପରଶେ ।

ପ୍ରେମେ ଅଶ୍ରୁ ଭରି ଉଠେ ନୟନେ ନୟନେ,

ବନ୍ଧୁର ହାସ୍ୟ ପରଶ ଦୁଃଖ ଦିଏ ଶେଷେ ।

ଜାଗେ ଆଜି ଜୀବନରେ ସ୍ପର୍ଶ ସନ୍ଦେହର

ରହେ ଅଜ୍ଞାନ ବା ସତ୍ୟ-ଶିବ ଓ ସୁନ୍ଦର ।

ଔଦ୍ଧତ୍ୟର ସୀମାରେଖା ହୁଏ ନାହିଁ ଜାଣି

ପ୍ରଶାନ୍ତ ସାଗର ଅବା ନୀଳାମ୍ୱର ଡେଇଁ

ଅବା କେଉଁ ଗ୍ରହ କ୍ଷେତ୍ରେ ରଚୁଛି ମଶାଣି

ରସାର ରସ ସମୂହ ସଂଗେ ତା’ର ନେଇ ।

ମାନବର ଅଧିକାର, ସୁମହାନ ଆଶା

ବିଲୟ ଭଜିବ କ୍ଷଣେ ଯାହାର ପରଶେ—

ସେ ତ ଆଜି ପ୍ରିୟତମ, ଅଶେଷ ଭରସା;

ଗତି କାହିଁ, ଗତି କାହିଁ ଆଜିର ହରଷେ ?

ବିଷାଦପୂର୍ଣ୍ଣ ରଚନା ହର୍ଷ ଦିଏ ଆଜି

ଔଦ୍ଧତ୍ୟର ପରଶରେ ହଜି ଅଛି ଜ୍ଞାନ ।

ବିଜ୍ଞାନ ଧାଇଁଛି ଅବା ମମତା ବରଜି

ମୃତ୍ୟୁର ଡମ୍ୱରୁ କିଏ ବାଏ ଘନ ଘନ ?

କାହାର ବିନାଶ ପାଇଁ ହୁଏ ଅଭିଯାନ ?

ଜାଣି ବା ନ ଜାଣେ ମୁହିଁ ସୁପ୍ତ ବା ଚେତନ ।

ଏଡ଼ିବାକୁ ମୃତ୍ୟୁ ଏ ଯେ ମୃତ୍ୟୁର ସମ୍ଭାର

ଶାନ୍ତି ନାମେ ଅଶାନ୍ତିର ବହୁଛି ବତାସ,

ସତ୍ୟର ପ୍ରତିଷ୍ଠା ନାମେ ଅସତ୍ୟ ପ୍ରଚାର

ସାରଲ୍ୟର ନାମେ ଜାଗେ ବିଦ୍ରୁପର ହସ ।

ଅର୍ଥନାମେ ଅନର୍ଥର ହୁଏ ବୀଜ ବୁଣା

ରୁଦ୍ଧ ହୁଏ ନିଜ ଦେଶେ ପଥ ପଥିକର ।

ଉନ୍ନୟନ ବକ୍ଷେ ଜାଗେ ଶତ ଉନ୍ମାଦନା

କ୍ରୁଦ୍ଧ କିଏ ଆନ ଦେଶେ ଥାପିଛି ଶୀବିର ।

‘ଦୁଃଖ’ ଯା’ର ଜୀବନର ଏକଇ ସମ୍ୱଳ

ଗାତ୍ରୋତ୍‍ଥାନକରେ ଯେବେ ସୁଖର ସନ୍ଧାନେ

ପ୍ରଭୂତ୍ୱର ପ୍ରତାରଣା ବିସ୍ତାରେ ତା’ ଜାଲ

ଦୁଃଖୀର କ୍ରନ୍ଦନ ହଜେ ସଭ୍ୟତା-ଅରଣ୍ୟେ ।

ନିରୀହ ପଶୁର ମାଂସ ଭୋଜନର ସୁଖ

ଭୋଗିବାକୁ ଏ ମାନବ ନୁହେଁ ପରାଙ୍‍ମୁଖ !

‘‘ପେଟ ପୋଷ, ନାହିଁ ଦୋଷ’’-ଆଜିର ଆହ୍ୱାନ

ଝଡ଼ିପଡ଼େ ନିଃସହାୟ ଚକ୍ଷୁ ଅନ୍ତରାଳେ;

ମାନବିକତାର ମର୍ମ ବୁଝେ ନାହିଁ ମନ

ନିଜର ବଞ୍ଚିବା ପାଇଁ ବ୍ୟାକୁଳ ସକଳେ ।

ତେଣୁ ସିନା ବଞ୍ଚିବାର ବାସନାର ପଥେ

ଶତ କଣ୍ଟକର ବାଧା, ଅନାହୂତ କ୍ରାନ୍ତି—

ଦିଏ ଦେଖା, ଏଡ଼ିବାକୁ ଶକ୍ତି କାହିଁ ହାତେ ?

ରୁଧିରାକ୍ତ କଳେବରେ ବଢ଼ୁଛି ବିଭ୍ରାନ୍ତି ।

ସ୍ୱାର୍ଥାନ୍ଧ, ମଦାନ୍ଧ ନର ଚାଲିଛି ବିପଥେ

ମାରିବ ଅବା ମରିବ ଗତ-ବିବେଚନ,

ଅନ୍ଧ ସମ ପଥ ହୁଡ଼ି ଅଜ୍ଞାନତା ସାଥେ

ଆନେ ଦୋଷ ଦିଏ କରି ଦୁର୍ଗତି ବରଣ ।

ବିଭ୍ରମରେ ଭ୍ରମି ଭ୍ରମି କାଳ କରେ କ୍ଷୟ

କାଳର କବଳେ କିଏ ଲଭିଛି ବିଜୟ !

ସଭ୍ୟତା ନାମେ ସତତ ଅସଭ୍ୟ ଆଚାର

କୃତ୍ରିମତା ମଧ୍ୟେ ଜାଗେ କର୍ମ ପ୍ରବଣତା ।

ତେଣୁ ସିନା ଶୋଷକର ଶତ ଅନାଚାର

କାର୍ଯ୍ୟକାରୀ ହୁଏ ଆଜି; ନାହିଁ ତତ୍‍ପରତା

ସଭ୍ୟତା ନାମେ ସମାଜେ ଖେଳେ ଧପ୍‍ପାବାଜୀ

ଭଣ୍ଡାମିର ଶେଷ ସୀମା ଲଙ୍ଘି ଧାଏଁ ନର;

ସହୋଦରେ ସୁହୃଦତା ମରି ଅଛି ଆଜି

ଗତି କାହିଁ, ଗତି କାହିଁ ସହାବସ୍ଥାନର ?

ଉଗ୍ର ଆଜିର ସଭ୍ୟତା, ଭଗ୍ନ ମନୋରଥ

ଗଢ଼ି ଉଠେ ଅତ୍ୟାଚାର ସଭ୍ୟତାର କୋଳେ ।

ସେ ସଭ୍ୟତା ରୋଧିବାକୁ କିଏ ସମରଥ ?

ଆଜିର ମାନବ ଧାଏଁ ଅତିହିଁ ଚଂଚଳେ !

ସମାଜର ଦ୍ରୁତଗତି, ଦୁର୍ବଳର ମତି

ସଭ୍ୟତାର କୋଳେ ମନେ ନ ଲଭ ସଙ୍ଗତି ।

ଆଜି ବିଂଶ ଶତାବ୍ଦୀର ବକ୍ଷ କଳଂକିତ,

ପଳାୟିତ ଧର୍ମ ଆଜି ଆଶ୍ରୟ ଖୋଜୁଛି;

ମାନବର ପଶୁ-ବଳ ପଶ୍ଚାତେ ଧାବିତ

ନରକର ଗନ୍ଧ ସକଳେ ମୋହୁଛି ।

ନ୍ୟାୟ, ଅନ୍ୟାୟ ବିଚାରେ କାହିଁ ବା ପ୍ରଭେଦ ?

ମାନବିକତାର ମୋହ ଅତି ରଂଜନରେ—

ନିଷ୍ପେଷିତ ଆଜି ନର; ବଢ଼ିଛି ବିଭେଦ

ଜର୍ଜରିତ ମନ ଆଜି ଭୌତିକ ସୁଖରେ ।

ସେ ସୁଖର ରୂପରେଖ ହୁଏନାହିଁ ଜାଣି

ମରେ ମନ ଅହଂକାର, ମାୟାର କବଳେ

ନିଜ ମଧ୍ୟେ ହେଉଛନ୍ତି ଆଜି ହଣା ହଣି

ବରିଛନ୍ତି ଦୁଃଖ କଷ୍ଟ ଔଦ୍ଧତ୍ୟ ଅନଳେ ।

ମୃଗ ଯଥା ଧାବମାନ କସ୍ତୁରି ସନ୍ଧାନେ

ଧର୍ମ ଛାଡ଼ି ମରେ ମନ ଅଧର୍ମ ବନ୍ଧନେ ।

ଆଶା ଆଉ ନିରାଶାର ସାଗର ସଙ୍ଗମେ

ଲବଣାକ୍ତ ନିରାଶାର ସୁନୀଳ ସଲିଳେ

ଆଶାର ସ୍ୱାଦୁ-ଅର୍ଣ୍ଣସ ଉଲ୍ଲାସ ଆଗମେ

ହଜିଯାଏ ସତ୍ତା ତା’ର ନିରାଶାର ନୀରେ ।

ଅତ୍ୟାଚାର ଅନାଚାର ବଢ଼େ ଖରତର

ଦର୍ମର କେତନ ଉଡ଼େ ଅମ୍ୱରେ ଅଧୀରେ

ଶତାୟୁ ପରଶେ ଯେବେ ସୁଖ ଆଗୁସାର

ଘୂର୍ଣ୍ଣିବାୟୁ ସମ ଘୁରେ ନିରାଶା ଝଂଜାରେ

ସମ୍ମୁଖେ ଆଶା-ଶୀବିର ନିରାଶା ମରୁରେ—

ଥାପିଛି କେ ଯାଯାବର ସହାସ୍ୟ ବଦନେ ।

ରଜନୀରେ ହିମସିକ୍ତ, ଦିବା ଉତ୍ତାପରେ—

ଦୁଃଖ-ବାଲି ଝଡ଼େ ଶେଷେ ହଜିଯିବ କ୍ଷଣେ ।

ଯୁଗେ ଯୁଗେ ଯୁଦ୍ଧ ହୁଏ ଆଶା ନିରାଶାର

ଗଢ଼ି ଉଠେ ଶ୍ମଶାନରେ ଶାନ୍ତିର କବର !

ଯେଉଁ ମନ ମାନବର ଶାନ୍ତିର ଆଧାର

ରୂପ ନିଏ ସୁଖ ତହିଁ ଅସୀମ ଆଶାରେ

ଅଶାନ୍ତି ପରଶେ ଧରେ ରୂପ ଭୈରବର

ହଜିଯାଏ ଜ୍ଞାନ ତାର, ଜଳି ପୋଡ଼ି ମରେ ।

ଏ ଶତାବ୍ଦୀ ଧାଏଁ ଆଜି ବିଜ୍ଞାନ ଆଶୀଷେ—

ସ୍ଥିତି ଅବା ପ୍ରଳୟର ଅନିଶ୍ଚିତ କୋଳେ ।

ଉନ୍ମାଦ ଆଗ୍ନେୟଗିରି ଔଦ୍ଧତ୍ୟ ଆଶ୍ଲେଷେ

ଜାଳିପୋଡ଼ି ଦେବ ଅବା ଦୁଃଖର ଅନଳେ ।

ଜ୍ଞାନର ଗାରିମା ଆଜି ଅଜ୍ଞାନ ତିମିରେ

ପାଏନାହିଁ, ପାଏନାହିଁ, ପାଏନାହିଁ ରାହା !

ଅଭିସାର ହୁଏ ଆଜି ମୃତ୍ୟୁ-ପାରାବାରେ

ଲୁପ୍ତ ହେବ ମାନବର ପଦଚିହ୍ନ ଯାହା ।

ବୁଝି ନ ବୁଝିଲା ପରି ମାନବର ମନ

ଝାସ ଦିଏ ଅନଳରେ ପତଂଗ ସମାନ ।

ବିଶ୍ୱ ବକ୍ଷେ ଯୋଜନାର ଶତେକ ସମ୍ଭାର

ମୃତ୍ୟୁର ମହକି ଅବା ବଂଚିବା ବାସନା;

ଜାଣି ହୁଏନାହିଁ ରୂପ ଆଜି ସୌହାର୍ଦର

ବିଷକୁମ୍ଭ-ପୟୋମୁଖୀ ଆଜିର ଯୋଜନା ।

ଶାସକ-ଶୃଂଖଳ ଭାଂଗି ଆଶାୟୀ ପଥିକ

ଧାଏଁ ଯେବେ ବଂଧୁ ପାଶେ ଭାବର ଆବେଶେ

ଅମୃତମୟ ଆହ୍ୱାନ, ଆଶାର ଆଲୋକ—

ରଂଜିଦିଏ ଭାବରାଶି ତାହାର ପରଶେ ।

ପରକ୍ଷଣେ ପରଶର କଳୁକ୍ଷ-ପ୍ରବାହେ

ହଜିଯାଏ, ଭାଜିଯାଏ ଗାରିମା ତାହାର

ଜୀର୍ଣ୍ଣ ହୁଏ, ଚୂର୍ଣ୍ଣ ହୁଏ ଆପଣାର ଛାଏଁ

ଆନ କିଏ ହସି ଉଠେ ଦୁଃଖ ଦେଖି ତା’ର ।

ବଂଧୁର ପ୍ରାସାଦେ ଆଜି ବିଷାଦର ଛାୟା

ଅଦୂରଦର୍ଶୀ ମାନବ ବୁଝେ କାହିଁ ତାହା !

ସୁଖୀର ନୟନେ ସୁଖ ଭରିଛି ସଂସାରେ

ଦୁଃଖୀ କିଏ ଭାବୁଅଛି ଦୁଃଖମୟ ଭବ

ଦୁଃଖୀ ସୁଖୀ ତୁଳନାରେ ଏ ଧରା ଦୁଆରେ

ଅଗଣିତ ଦୁଃଖାତୁର ଜଗତେ ଉଦ୍‍ଭବ ।

ସମାଧାନ-ପନ୍ଥୀ ଆଜି ଜଗତେ ବିରଳ

ଦୁଃଖ ଉପରେ ଯାତନା ହୁଏ ସଂଯୋଜନ

ଦହୁଛି ସର୍ବତ୍ର ଆଉ ଦୁଃଖ ଦାବାନଳ

ବିନାଶର ଅସି ଆଜି ଲଭିଛି ସମ୍ମାନ ।

ମାନବର ମତି ଆଜି ମରୁଛି ବିଭ୍ରମେ

ନିଜ ଅର୍ଥେ ବଂଚିବାକୁ ବଢ଼ିଛି ବାସନା

ଅଭିଯାନ ହୁଏ ଆଜି ଜନତାର ନାମେ

‘‘ଶୋଷଣ-ପ୍ରତାରଣାର’’ ନାମାନ୍ତର ସିନା ।

ସହିବ କି କହ ବଂଧୁ ! କାଳର ପ୍ରବାହ—

ହେ ଯୁଗ ମାନବ ! ତୁମେ ଛାଡ଼ିବ କି ମୋହ ?

ଜଗତେ ହୋଇଛି ଗତ ସକଳ ମଂଗଳ

ଜାଗ୍ରତ ଜନତା ଆଜି ପାଏ ନାହିଁ ରାହା ।

ନାହିଁ ନ ହେବା ଭାବନା ହେଉଛି ଚଂଚଳ

ପ୍ରଗତିର ନାମେ ବଢ଼େ ଅଧୋଗତି ଯାହା

ଦୁର୍ବଳରେ ଅତ୍ୟାଚାର, ସକଳରେ ପ୍ରୀତି;

ଆଗାମୀର ବକ୍ଷେ କାହିଁ ପ୍ରାଚୀନ ଭାବନା ?

ପରସ୍ପର ପ୍ରତିଦ୍ୱନ୍ଦ୍ୱେ ବଢ଼ିଛି ଦୁର୍ଗତି

ଜାଗିଛି ମାନବ ମନେ ଯୁଗ-ପ୍ରର୍ବଚନା ।

ସଭ୍ୟତା ନାମେ ସତ୍ୟର ହୁଏ ଅପଳାପ

ଅଳ୍ପାୟୁ ମାନବ ତହିଁ ସୁଖ ଅନୁଭବେ

ପରିଣାମେ ଭାବି-ସୁଖ ଆଣିଛି ସନ୍ତାପ

ଧର୍ମ ବିନା ଏ ସଂସାରେ ସୁଖ କାହିଁ ଲବେ ?

ଧର୍ମ କରେ ପଳାୟନ ବିକ୍ଷତ ଶରୀରେ

ମନର ବେଦନା ଆହା ! ଝରେ ଚକ୍ଷୁ ନୀରେ,

ଧର୍ମଲଭେ ପରାଭବ ଧରିତ୍ରୀର କୋଳେ

ମନର ଧାରଣା ଧରେ ବାସନା ଅରୂପ

କାହିଁ ସୁଖ, କାହିଁ ଶାନ୍ତି ଯୁଗ କୋଳାହଳେ ?

ସମ୍ମୁଖେ ଗଢ଼ୁଛି କାଳ ନିରାଶାର ସ୍ତୂପ ।

ଭାବର ନିରମ୍ୱୁ-ମରୁ ଶୁଷ୍କ ସିକତାରେ

ମରୁ-ଦସ୍ୟୁ ରୂପ ଧରେ ମାନବର ସ୍ୱାର୍ଥ

ବଂଶତ କେ’ ନିଃସହାୟ ସର୍ବ ଅଧିକାରେ;

ତଥାପି ତ ହେଉଅଛି ସକଳ କଦର୍ଥ ।

ମାନବର ପଶୁବଳ ହୋଇଛି ଉନ୍ମୁକ୍ତ

ପାଶବିକ ଅତ୍ୟାଚାରେ ବ୍ୟଥିତା ମେଦିନୀ

ମାନବେ ମାନ ଚାହେଁ ମୁହୁର୍ମୁହ ରକ୍ତ

କହେ କିଏ ଦ୍ୱାରେ ଦ୍ୱାରେ ବ୍ୟଥାର କାହାଣୀ ।

ଏ ଜଗତେ ଜନତାର ଉତ୍ତାଳ ତରଂଗେ

ନୈରାଶ୍ୟ ତୋଳୁଛି ଆହା ! ଦେଶେ ଦେଶେ ରଂଗେ ।

ବିଲୋକେ ନାହିଁ ମାନବ ମାନସ ମନ୍ଦିରେ

ଜ୍ଞାନର ମୁକୁର ଆଜି ହୋଇଛି ମଳିନ

ଆଖି ଥାଇ ଅନ୍ଧ, ଭାସେ ସନ୍ଦେହ-ସମୀରେ

ସମ୍ମୁଖେ ହସୁଛି କାଳ, ଆସୁଛି ଦୁର୍ଦ୍ଦିନ ।

ଆନ ଜନ ମୃତ୍ୟୁ ଚିନ୍ତା ଆଜିର ବାସନା,

କ୍ରୁଦ୍ଧ କିଏ ଖୋଳେ ଆଜି ନିଜର କବର—

ଅନନ୍ତ କାମନା ତା’ର ଖୋଜୁଛି ସାନ୍ତ୍ୱନା

ଜଳି ପୋଡ଼ି ମରିବାର ଅଟେ ସିନା ସାର ।

ବାଙ୍ମୟ ବିଜ୍ଞପ୍ତି ସମ ବଢ଼େ ବାଚାଳତା

ପ୍ରକୃତିର ରୂପ ରେଖ ବିକୃତିର କୋଳେ—

ସନ୍ଦେହ ସୂଚନା, ଆଣେ, କିବା ବର୍ବରତା,

ଜାଗେ ଶତ ନିଷ୍ଠୁରତା ଅବା ମନ ତଳେ ।

ସନ୍ଦେହ-ସୂତ୍ର ସଂଯୋଗେ ଆଜିର ବାସନା,

ପତଂଗର ସମ ଘୁରେ, କାହିଁ ବା ଶୋଚନା !

ସତ୍ୟ ଆଜି ପରହତ ନିର୍ମମ ପ୍ରହାରେ

ଶାନ୍ତି-ସରିତର ସ୍ରୋତ ଶୁଷ୍କତର ଆଜି

ନ୍ୟାୟ ହୁଏ ପରାଭୂତ ଅନ୍ୟାୟ ଆଚାରେ

ଧର୍ମ କରେ ପଳାୟନ ବହୁରୂପୀ ସାଜି ।

ଦୟାର ଦାରିଦ୍ର୍ୟ ଭାବ ମନରେ ପ୍ରକାଶେ

କ୍ଷମାର କୋମଳ ତନୁ କ୍ଷୀଣତରା ଆଜି

ମାନବିକତାର ମର୍ମ ନ ପଶେ ମାନସେ

ଧାଇଁଛି ମାନବ ଆଜି ସକଳ ବରଜି ।

ବଂଧୁରେ, ପ୍ରିୟ ଜନରେ ଅବା ଆତ୍ମୀୟରେ

ନାହିଁ ଆଜି ଶ୍ରଦ୍ଧାଯୁକ୍ତ ପ୍ରେମ ସଂବୋଧନ

କର୍ମକ୍ଷେତ୍ରେ ଶୁଷ୍କ ବକ୍ଷେ ଧାବିତ ଏ ନରେ

ତେଣୁ ସିନା ରସହୀନ ଆଜି ଏ ଜୀବନ ।

କର୍ତ୍ତବ୍ୟର ପରିସର ସ୍ୱାର୍ଥର ଆଶ୍ଳେଷେ

କଳଂକିତ ଆଜି ମନ ନୀରସ ଆବେଶେ ।

 

(ଏହାର ହିନ୍ଦୀ ଅନୁବାଦ ବିଳାସପୁର କଲେଜ ପତ୍ରିକା ‘‘ଉଦୟନୀ’’ରେ ପ୍ରକାଶିତ)

 

ତଥାପି ଜାଗିଛି କାହିଁ ଜୀବନେ ସଂଭୋଗ

କାହିଁ ତୃପ୍ତିର ଆଭାଷ କାହିଁ ବା ମଂଗଳ—

ସାର୍ବଜନୀନ ସୁଖର ସୀମିତ ତରଂଗ,

ତାପିତ ଅନ୍ତର ଆଜି ଦହେ ଦୁଃଖାନଳ ।

ନିର୍ଯ୍ୟାତନା ଲେଖାଅଛି ମାନବ-କପାଳେ,

ଭୁଲିଅଛି ଆହା ! ସେହୁ ଅତୀତ ଗୌରବ,

ଯାହାର ସୌରଭ ଦିନେ ଅର୍ବାଚୀନ-କୋଳେ

ଆଣୁଥିଲା ସୁଖ; ଆଜି ବ୍ୟଥାର ଉଦ୍‍ଭବ ।

ଲଜ୍ଜାହୀନ ମନ ମୋର, ନିର୍ଲଜ ସଭ୍ୟତା

ପ୍ରତାରଣା, ପ୍ରବଂଚନା ଜୀବନର ଲକ୍ଷ୍ୟ ।

ପରିଣାମ-ପାରିବାରେ ଜାଗିଅଛି ବ୍ୟଥା

ନିଶ୍ଚିନ୍ତ ଚିନ୍ତାର ଆଜି କାହିଁ ରୂପ ରେଖ ?

ଅସ୍ଥିରତା ଖେଳୁଅଛି ଏ ସଭ୍ୟ ଜଗତେ—

ଦୁଃଖର ଆଳାପ ଜାଗେ ଏ ଜୀବନ-ଯନ୍ତ୍ରେ ।

ମାନବର ମାନବତା, ସତ୍ୟ, ଜନ ସେବା

କାହିଁ ଆଜି ଅନୁଧ୍ୟାନ ଅହିଂସା, ତ୍ୟାଗରେ ?

ସୁକୃତ, ଆଚାର, ନ୍ୟାୟ ମରିଛନ୍ତି ଅବା

ଧୃତି, କ୍ଷମା, ଦମ୍ଭ, ଶୌଚ ନେଇ ସଂଗତରେ

ତେଣୁ ସିନା ବଢ଼ିଅଛି ହତ୍ୟା ବିଭୀଷିକା—

ବଳାତ୍କାର, ଆତ୍ମସ୍ତୁତି, ନଗ୍ନତା ସଂଦେହ ।

ନଥାପି ମାନବ ମନେ ଜାଗେ ଅହମିକା;

ପର ନିନ୍ଦା, ଅସନ୍ତୋଷ ଜୀବନର ମୋହ ।

ଜଡ଼-ବିଜ୍ଞାନ ଆଶ୍ଳେଷେ ସଜୀବ ମାନବ

ହରାଇ ବସିଛି ତା‘ର ଜୀବନର ରାହା ।

ରାଜନୀତି, ଅର୍ଥନୀତି, ଶିକ୍ଷାନୀତି ସର୍ବ

ପରାଜିତ, ପରାହତ ଏ ସମାଜେ ଆହା !

ମନମୁଖୀ ଚିନ୍ତାଧାରା, ଭୋଗ ଓ ବିଳାସ

ଗ୍ରାସ କରେ ବିଶ୍ୱ, ଜାତି, ସମାଜ ଓ ଦେଶ ।

ଅଳ୍ପାୟୁ ଜୀବନେ ସଦା ବ୍ୟଥାର ତରଂଗ;

ସମବେତ ନର-ନାରୀ ପ୍ରୀତିର ପ୍ରାଂଗଣେ ?

ଜାତିର ଶକତି ନାମେ ଗଢ଼ା ଜାତି ସଂଘ

ଅଥୟ ହେଉଛି ଆତ୍ମା ଗୁପତ ମାରଣେ ?

ମଣିଷ ହେଉଛି ଗଣା, ବର୍ଣ୍ଣର ବିଭବେ

ଅନାତ୍ମ୍ୟ ସେ ଜନ ଯା’ର ଅଟେ କୃଷ୍ଣକାୟ ।

‘‘ଦୁଃଖୀର ଶରୀରେ କେବେ ଆତ୍ମା କି ସମ୍ଭବେ?’’

ଧନ୍ୟ ଆଜିର ବିଚାର, ଜାଗୁଛି ବିସ୍ମୟ ।

ଶୁକ୍ଳ ଶରୀରେ ଜାଗିଛି ରୂପର ମହକ

କୃଷ୍ଣକାୟ ଅବାଂଛିତ ଆଜିର ଜଗତେ ।

‘‘ଦିବସର ଶୋଭା ଅର୍ଥେ ରାତ୍ରି ସହାୟକ’’—

ଭୁଲିଛି ମାନବ ତାହା କାଳର ଆବର୍ତ୍ତେ ।

ପକ୍ଷାଘାତ ରୋଗଗ୍ରସ୍ତ ଆଜିର ସଭ୍ୟତା

ସ୍ୱାର୍ଥାନ୍ଧର, ମଦାନ୍ଧର ଆଜି ମଣିଷତା ।

ପ୍ରକୃତିର ବକ୍ଷେ ଯହିଁ ଯାବତ ବିଭବ

‘ସବୁ ମୋର’ କାମନାରେ ବଢ଼ିଛି ତିକ୍ତତା

ବିଜ୍ଞାନ କୋଳେ ବର୍ଦ୍ଧିତ ଜ୍ଞାନାନ୍ଧ ମାନବ

ତେଣୁ, ସିନା ଅସ୍ତଗାମୀ ଏ ଯୁଗ ସଭ୍ୟତା ।

ଚକ୍ଷୁର ବିଭବେ ଜାଗେ ଦର୍ଶନ ପିପାସା

ସଂଚାଳିତ ଚକ୍ଷୁ ଦିଏ ଆତ୍ମାରେ ସାନ୍ତ୍ୱନା,

କିନ୍ତୁ କାହିଁ ଚକ୍ଷୁଷ୍ମାନ ଦଃଖୀର ଭରସା ?

ରାତ୍ରିର ଅନ୍ଧାରେ ଅବା ଜାଗୁଛି ପ୍ରେରଣା ।

ଚେତନା ଆଣିଛି-ଅବା ଯାବତ ଯାତନା

ଜନ୍ମାନ୍ଧର ମୁଖେ ଯେବେ ଜାଗି ଉଠେ ହସ

ଦୁଃଖର ଅବା ସୁଖର ଅସୀମ ଯନ୍ତ୍ରଣା

ବୁଝିହୁଏ ନାହିଁ, ସେ ଯେ ଦୂରନ୍ତ ଆୟାସ ।

ଆଜିର ବଭବ ମଜ୍ଜେ ଅଜ୍ଞାନ ତିମିରେ

ଜାଗେ ବ୍ୟଥା ପ୍ରବଂଚିତ-ବିଶ୍ୱ ପୁରେ ପୁରେ ।

ବିଶ୍ଳେଷଣ ଗାରିମାର ଜ୍ଞାନ ଜାଗେ ବକ୍ଷେ,

ନିରୀହ ଲୁଣ୍ଠିତ ଆଜି ‘ଦଳ’ର କବଳେ

କୀଚକର ବଳେ, ଆଜି ବିରାଟ ସୁଖେ

ଆତ୍ମ ବିଶ୍ୱାସ ହଜିଛି ଏ ସଭ୍ୟତା କୋଳେ ।

ମେଣ୍ଟ ନାମେ ଚିନ୍ତା ଜାଗେ ବଧ ବନ୍ଧନର

ବଳର କଳ୍ପନା ହୁଏ ସୈନ୍ୟ ସଂଚାଳନେ ।

ଉନ୍ମୁକ୍ତ ପ୍ରାଂଗଣେ ଆଜି ଶତେକ ପ୍ରାଚୀର

ସୈନିକର ବକ୍ଷ ସ୍ପୀତ ଅଣୁ, ଉଦଜାନେ ।

ଚକ୍ଷୁର ପଲକେ ଆଜି ଧାଏଁ ରଣ ତରୀ

ଜାଣି ହୁଏ ନାହିଁ ଆହା ! କାହାର ମଂଗଳେ

ବ୍ୟାଘାତ ଲଭୁଛି ଏଣେ ନିଜ ସୁଖ, ଶିରୀ

ଆନର ମାନ, ମହତ୍ତ୍ୱ କାନ୍ଦୁଛି ବିକଳେ ।

ତଥାପି ଜୀବନେ ଆଜି ଶତେକ ବାସନା

କାନ୍ଦି କନ୍ଦାଇ ଧାଇଁଛି ଯୁଗ-ପ୍ରବଂଚନା ।

ବିଶ୍ୱର ପରାଣେ ଆଜି ଈଶ୍ୱର ବାସନା

ମରିଯାଏ, ମରିଯାଏ, ମରିଯାଏ ଆହା !

ତେଣୁ ସିନା ହସି ଉଠେ ଜୀବନ୍ତ ଯାତନା

ନଶ୍ୱର ମାନବ ଆଜି ବୁଝେ କାହିଁ ତାହା !

ଆତ୍ମାରେ ବିଶ୍ୱାସ ଆଜି ଅସ୍ଥିରତା ଆଣେ

ରହିଯାଏ ପରମାତ୍ମା ତେଣୁ ଅତି ଦୂରେ ।

ବିଭ୍ରମ ମାନସ ମୋର ସ୍ୱାର୍ଥର ବାରଣେ

ଭୁଲି ଅଛି ପଥ ଆଜି ଜୀବନର ପୁରେ ।

ନିଜର ଜୀବନ ଯେବେ ଦୁର୍ଲ୍ଲଭ ଭୁବନେ

ପର ପାଇଁ କୁମନ୍ତ୍ରଣା, ହିଂସାର ରଚନା—

ବୁଝି ହୁଏ ନାହିଁ ଆହା ! ଜୀବନ ପ୍ରାଂଗଣେ

ଧର୍ମ ଲଭେ ପରାଭବ, ଶତେକ ଲାଂଛନା ।

ମାନବର ସତ୍ତା ଆଜି ସତ୍ୟର ପରଶେ

ଚାହେଁ ନାହିଁ ବଂଚିବାକୁ କାଲିର ହରଷେ ।

ଅଭିମାନ, ଆତ୍ମତୃପ୍ତି, କୃତ୍ରିମ ପ୍ରବାହେ

ଭୁଲି ଯାଏ ଏ ମାନବ ସତ୍ୟ ଓ ସୁନ୍ଦର

ଶିବ ନାମେ ବିଶ୍ୱଦେହେ ଶତେକ ସଂଦେହେ

ବିଭ୍ରମ ମାନସ ଆଜି, କାହିଁ ମୁକ୍ତି ତା’ର ?

ଅସଂଲଗ୍ନ ଭାବ ନେଇ ଅଲଗ୍ନ ଆଶାରେ

କାହିଁ ବା ଆଶାୟୀ ଆଜି ମାନବର ମନ ?

ଅନୁସୂତ ମାର୍ଗେ ଆହା ନିରାଶା ସଂଚରେ

ଶାନ୍ତି କି ଦେଉଛି ମନେ ପ୍ରଶାନ୍ତ ନିର୍ବାଣ ?

ଆତ୍ମା ଅବା ଜର୍ଜରିତ ତନୁର ନିର୍ମୋକେ

ତେଣୁ ଅବା ଭୁଲି ଅଛି ଜୀବନର ରାହା;

ପଳାୟନରେ କାହିଁ ରକ୍ଷିତ ଭୂଲୋକେ ?

ମୃତ୍ୟୁର ମହକେ ମନ ବୁଝେ ଅବା ତାହା !

ଅବିନାଶୀ ଆତ୍ମା ଆହା ବିନାଶର କୋଳେ

ସୃଷ୍ଟିର ଇଂଗିତେ ଅବା ଖେଳୁଅଛି ଭୋଳେ !

ଅପ୍ରସନ୍ନ ଭାବ ଖେଳେ ମାନବର ମନେ

ତେଣୁ ସିନା ନାହିଁ ଆଜି ଗୁଣର ଆଦର;

ଧରା କି ନୀରସ ଆହା ଆଜିର ବିଧାନେ

ବୁଝି ହୁଏ ନାହିଁ ଅବା ଗତି କାହିଁ ତା’ର !

ଉଦ୍ୟାନେ ଫୁଟିଲେ ଫୁଲ ସୁବାସ ମହକେ

ଉନ୍ମାଦନା ଆଣେ ଯେବେ ଏ ଶୁଷ୍କ ପରାଣେ;

ସୁନ୍ଦର କୋମଳ ଶିଶୁ ‘‘ମାଆ, ମାଆ’’ ଡାକେ

ନାଚି ଉଠେ ଅସି ଆଜି ତାହାର ନିଧନେ !

ହଜିଛି ଆତ୍ମ ବିଶ୍ୱାସ ଆଜିର ଦୁର୍ଦ୍ଦିନେ

ଜାଗ୍ରତ ମାନବ ଆଜି ସମ ମୁମୂର୍ଷୁର

ରହେ ଅବା ଅନ୍ଧକାରେ ଦର୍ପର ବନ୍ଧନେ

ତେଣୁ ସିନା ଲଭେ ନାହିଁ ପରଶ ସୁଖର ।

ପ୍ରସନ୍ନତା ଜାଗେ ଯେବେ ପୁଷ୍ପର ସମାନ

ସୁଖର ଭ୍ରମର ଦିଏ ସହସ୍ର ଚୁଂବନ ।

ବିଦ୍ୱେଷ ଜାଗିଛି ଆଜି ସ୍ୱଦେଶେ ବିଦେଶେ;

ପରାଜୟ ବିଜୟର ଭାବନା ପ୍ରବାହେ–

କ୍ଷାନ୍ତ ଆଜିର ମାନସ ଚିନ୍ତାର ଆଶ୍ଳେଷେ;

ତଥାପି ବିଚିତ୍ର ଚିନ୍ତା ଏ ଅନ୍ତର ଦହେ !

ବୁଝି ହୁଏ ନାହିଁ ଆଜି କାଳର ପ୍ରବାହେ

ମୃତ୍ୟୁଂଜୟୀ ହେବ ଅବା ମାନବର ମନ !

ଯୁଗେ ଯୁଗେ ମରଣର ମନ୍ଦାକିନୀ ବହେ

ଆତ୍ମାର ହେଉଛି ଅବା ସତତ ତର୍ପଣ !

ସତତ ଖେଳୁଛି ମନ ମୃତ୍ୟୁ ପାରାବାରେ

ଅସୀମ ସାହସ ତା’ର ନାହିଁଟି ଶୋଚନା ।

କାଳର ମହୋର୍ମି ଯେବେ ଗ୍ରାସ କରେ ତାରେ

ଆନ ଅର୍ଥେ ରଖିଯାଏ ମହାନୁଶୋଚନା ।

ତଥାପି ଜାଗ୍ରତ ମନେ ବାସନାର ମୋହ

ଖେଳିଯାଏ ଯାତନାର ବିମୁକ୍ତ ପ୍ରବାହ ।

ସୁଶୀତଳ ଧରା ବକ୍ଷେ ଶୀତଳ ଯୁଦ୍ଧରେ

ମାନବର ଜ୍ଞାନ ଆଜି ତୁଷାରର ସମ—

ହୁଏ ଘନୀଭୂତ ଆହା ମତି ବିଭ୍ରମରେ

ବିବେକ ତୃଣ ନୀରବ, ପଥ ବା ଦୁର୍ଗମ ।

ଅହମିକା-ମୋହେ ମ୍ଲାନ ସୁଜ୍ଞାନ-ଦୀଧିତି

ଅଜ୍ଞାନ-ବରଫାବୃତ ସଂସାର ସାଗର—

ଭେଦ କରିବାକୁ କାହିଁ ଆଜି ତା’ ଶକତି ?

ତେଣୁ କ୍ରୀତଦାସ ନର ଆଜି ଧୃଷ୍ଟତାର !

ତୃଷାତୁର ନର ଖୋଜେ ସୁମାର୍ଗ-ସଲିଳ

ତୁଷାର ବକ୍ଷେ ତୃଷାର କାହିଁ ଉପଶମ ?

ତଥାପି ନ ବୁଝେ ମନ, କ୍ଷୟ ଆଜି ବଳ

ମତିର ପ୍ରଗତି ନାମେ ବଢ଼େ ଅପକର୍ମ ।

ଦିବ୍ୟଜ୍ଞାନ ମାନବର ଶୀତଳ ଯୁଦ୍ଧରେ

ଆଲୋକ ବରଜି ଧାଏଁ ଅଜ୍ଞାନ-ତିମିରେ ।

ଏକ ମାନବର ଆଜି କୋଟିଏ ବିକାର

ସେହି ନର-ଅବୟବ, ଅୟୁତ ବିକୃତ

ବିବିଧ ପ୍ରସଂଗ ଉଠେ ବାଦ ବିବାଦର

ତାହାର ସନ୍ଦେଶେ ନର ଧାଏଁ ଭୁଲି ପଥ ?

ବଂଚିବାର ପାଇଁ ଯେତେ ଜାଗ୍ରତ ବାସନା

ଉଗ୍ରତା ପ୍ରକାଶେ ଆଜି କିପାଁ ମରଭୂମେ ?

ନାହିଁ ଯେବେ ଶକ୍ତି, କିପାଁ ସହସ୍ର ରଚନା ?

ଶ୍ରାନ୍ତ ଆଜିର ପଥିକ ବାଦର ସଂଗମେ ।

ନିର୍ଦେଶକ ଭୂମିକାର ପ୍ରୟାସୀ ସକଳେ

ବଂଚିବାର ରଂଗ ଭୂମେ କଳାକାର ଦଳ

ବିଗତ-ପ୍ରୟାସେ ଅବା ଅତିହିଁ ଚଂଚଳେ—

ଚାହିଁଛନ୍ତି; ଚାଲିଯିବ ଅଭିନୟ ବେଳ ?

ବାଦ ମୂଳେ ଜାଗେ ଆଜି ସକଳ ବିବାଦ

ଧରା ବକ୍ଷେ ଧାଏଁ ଅବା ସକଳ ପ୍ରମାଦ !

କାମ, କ୍ରୋଧ, ଲୋଭ, ମୋହ, ମାତ୍ସର୍ଯ୍ୟ ଓ ମଦ

ବିଚରନ୍ତି ଭବେ ଆଜି ଉଗ୍ରତା ପ୍ରକାଶି

ତେଣୁ ସିନା ବଢ଼ିଅଛି ବାଦ, ପ୍ରତିବାଦ

ବିଜ୍ଞାନ ଆଶୀଷେ ଜ୍ଞାନ ଧ୍ୱଂସର ପ୍ରୟାସୀ

ମାନବ ଜୀବନ ରାଜ୍ୟେ ମନ ନରପତି

କେବେ ଥିଲା ‘‘ସୁବିବେକ’’ ତାହାର ସଚିବ

ସେ ବିବେକ ପରାର୍ଜିତ, ଅବିବେକ ମନ୍ତ୍ରୀ

କୁମନ୍ତ୍ରଣା ପାରାବାରେ ମଜ୍ଜେ ଜ୍ଞା-ନ-ନାବ

ବିଜ୍ଞାନର ଯାନ ମହାଶୂନ୍ୟେ ଘୂରେ ଖରେ

ବିତୃଷ୍ଣା ଜାଗିବ ଅବା ଏହି ଅଭିଯାନେ ?

ତୃଷାତୁର ଧାଏଁ ଯଥା ଜ୍ଞାତ ଜଳଧାରେ

ତେସନେ ଶୂନ୍ୟ ବରଜ ଫେରିବ ଭୁବନେ ?

ତଥାପି ଜାଗୁଛି ମନେ ଶତେକ ବାସନା

ମହାମନ୍ତ୍ରୀ ‘ଅବିବେକ’ ଗଢ଼ୁଛି କଳ୍ପନା ।

ଭୁମା ମୃତର ନେଇଛି କୋଟି ରୂପ ଆଜି

ବିଭ୍ରମରେ ପଡ଼ି କିଏ ତୁହାଇ ଡାକୁଛି

ମନ୍ଦିରେ ମନ୍ଦିରେ ଆହା ଶବ ରାଜି ରାଜି

ଜୀବନର ସୂତ୍ର ତା’ରେ ଆତୁରେ ଖୋଜୁଛି ।

ଏ ଯେ ଚନ୍ଦ୍ର, ଏ ଯେ ସୂର୍ଯ୍ୟ, ତାରକା ନିଜର

ପୁଷ୍ପର ସୌରଭ ଅବା ମଳୟ ସୁବାସ,

ଅବା ଜଳ, ଅବା ସ୍ଥଳ, କ୍ରନ୍ଦନ ଶିଶୁର,

ମୃତ୍ୟୁର କୁହୁଳେ ଅବା ଦିଅନ୍ତି ହରଷ !

ଅଳ୍ପାୟୁ ମୁଁ ତେଣୁ ସନା ଦୁର୍ବଳ ମାନସ

ଏ ଯୁଗ-ଦାରିଦ୍ର୍ୟ ଅବା ନିଃସହାୟତାର

ଅବା ରୋଗ, ଅବା ଶୋକ ଅବା ଏ ବିରସ—

ଏସବୁ ସୁଯୋଗ ନେଇ ବଂଚିଛି ଈଶ୍ୱର ?

ତଥାପି ଜାଗୁଛି କାହିଁ ଈଶ୍ୱରୀ ବାସନା ?

ବାସନାର ମୋହ ଅବା ଶୁଦ୍ଧ ପ୍ରବଂଚନା ?

ମାନବ—ଜୀବନ ରାଜ୍ୟେ ଅଗଣିତ ଜୀବ

ପ୍ରଳୟର ବକ୍ଷେ ଅବା ସୁଶାନ୍ତ ଶିବିର;

ଆଖ୍ୟା ତା’ର ‘ଜୀବ’, ତେଣୁ ନିଶ୍ଚୟ ସେ ଯିବ

ଝଂଜାର କବଳେ ରେଣୁ ହେଉଛି ଅସ୍ଥିର ।

କ୍ଷୟିଷ୍ଣୁ ଶରୀର-ବର୍ତ୍ତ୍ମେ ଏ ମୋହର ଆତ୍ମା

ଜୀବନ କୁସୁମେ ସ୍ଥିତ ଶୋଭା ସମ ତା’ର,

କୁଟନୀତିର ସଂପର୍କ ଥାପେ ପରମାତ୍ମା

ଉଡ଼ିଯିବ ଆତ୍ମା-ହଂସ ଶୁଷ୍କହେଲେ ସର ।

ସୁଜ୍ଞାନ ଆଲୋକର ମୁଁ ଦର୍ଶନ ପ୍ରୟାସୀ

କାରାଗାରେ ବନ୍ଦୀ କିଏ ଖୋଜୁଛି ସ୍ୱଜନେ;

ଅନୁଭବ ଜାଗେ ସିନା ଆତ୍ମା ଅବିନାଶୀ

ସ୍ୱଜନର ମୋହେ ବନ୍ଦୀ କାନ୍ଦୁଛି ବିଜନେ ।

ମାୟାର ବନ୍ଧନେ କାୟା, ସୀମିତ ବାସନା,

ଅସୀମ ମନ ସାଗରେ ଦୂରନ୍ତ କାମନା ।

ଈଶ୍ୱର ବିଶ୍ୱାସ ଆଜି ମରି ଯାଏ ମନୁ,

‘‘ମୁଁହିଁଟି ଈଶ୍ୱର ଏହି ନଶ୍ୱର ଭୁବନେ’’—

ଏ ଭାବନା ନେଇ ଯେବେ ପୁଲକିତ ତନୁ,

କାହିଁ ବା ଈଶ୍ୱର-ସ୍ଥିତି ଜାଗେ ମୋର ମନେ ?

ହେ ଈଶ୍ୱର ! ଯଦି ତୁମେ ରହିଅଛ କାହିଁ

ସର୍ବବ୍ୟାପୀ, ଅବା କେଉଁ ନିର୍ଜନେ ନିବାସ,

ତୁମ ଇଚ୍ଛା ନେଇ ଆଜି ବଂଚି ଅଛି ମୁହିଁ,

ତୁମେ ଅବା ଚାହଁ ସଦା ମୋହର ବିନାଶ ?

ଅବା ମୋ ଅଳ୍ପାୟୁ ମନେ ଅସୀମ ସାହସ

ଦୃଢ଼ ବିଶ୍ୱାସର ବଳେ ଆଚରିବି କର୍ମ,

ମମତ୍ୱର କୋଳେ ମୋର ଜାଗେ ବା ବିଶ୍ୱାସ

ବାହି ନେବି ନାବ, ପଥ ସମ୍ମୁଖେ ସୁଗମ !

ନ ଥିଲେ ଏ ରୋଗ, ଶୋକ ନ ଥିଲେ ଉଦର

ନିଶ୍ଚିହ୍ନ ହୁଅନ୍ତା ଆହା ପଦ ଈଶ୍ୱରର !

ନିରାଶ ଅନ୍ତରେ ମୋର ଅବିଶ୍ୱାସ ଛାଇ;

ନିତ୍ୟ କାମନା ବର୍ଦ୍ଧନେ ଜଟିଳ ଏ ପଥେ–

ସହସ୍ର ବାସନା ଯେବେ ଆସୁଛି ଆଗେଇ

ସଂଗ୍ରାମ ଆଗ୍ରହୀ ମୁହିଁ ଈଶ୍ୱରର ସାଥେ ।

ତାହାରି ଇଂଗିତେ ଯେବେ ଜନ୍ମ ନେଲି ମୁହିଁ

ନିତ୍ୟ ହାସ୍ୟର ପରଶେ ଶୈଶବ ମୋହର

ନାଚୁଥିଲା ଅବିରାମ ସ୍ପର୍ଶ ତା’ର ପାଇ

କାଳର କୁହୁକେ ଆହା ! ହୋଇଯାଏ ଦୂର !

ଦୂରେଇ ନ ଯାଏ ଖାଲି, ଭୁଲି ଯାଏ ମୋରେ

ନିନ୍ଦା, ସ୍ତୁତି ଭୁଲି ଅବା ରହିଛି ବିଜନେ !

ନିଜର ସୃଜନେ ଭୁଳି ରହେ ଅତି ଦୂରେ

ତେଣୁ ସିନା ‘‘ଦାରୁଭୂତୋ’’ ଆଖ୍ୟାଏ ଭୁବନେ

ନିଜର ସୃଷ୍ଟି ରକ୍ଷଣେ ସେ ନୁହେ ପ୍ରୟାସୀ

ଅଳ୍ପାୟୁ ମୁଁ ବିଚଳିତ କିପାଁ ଦିବା ନିଶି ?

‘‘ପୂର୍ବ ଜନ୍ମର ସୁକୃତେ ସୁଖୀ ମୁହିଁ ଆଜି

ଏ ମୋର ସୁଖର ହର୍ମ୍ମ୍ୟ, ସୁଖୀ ପରିବାର

ତ୍ରିକାଳ ସଂଚିତ ଆହା ! ଏ ମୋ ସୁଖ ରାଜି,

କିପାଁ ହେ ପଡ଼ୋଶୀ ତୁମେ ପରଶ୍ରୀ କାତର ?’’

‘‘ନିଜ ସୁଖ ପାଇଁ ଗଢ଼େଁ ଏ ମୋର ସଂସାର

ସୁକୃତ କର୍ମର ଫଳ ଭେୋଗୁଅଛି ମୁହିଁ

ସାଥେ ମୋର ରହିଛନ୍ତି ଦୟାଳୁ ଈଶ୍ୱର

ସ୍ୱାର୍ଥର ପ୍ରହରୀ ସେହୁ, ଶଙ୍କା ମୋର କାହିଁ ?’’

ଏଇ ଭାବ ନେଇ କିଏ ବିଳସେ ସଂସାରେ,

ଐଶ୍ୱର୍ଯ୍ୟର ମୋହେ ସଦା ମର୍ଜ୍ଜି ରହେ ତେବେ

କ୍ରୂର ତାଳ ହସି ହସି ସ୍ୱକର ପ୍ରସାରେ

ଏ ଭୂତ-ଜର୍ଜର ମନ ଜ୍ଞାନ ପାଏ ତେବେ ।

ବନ୍ଧୁ, ପଡ଼ୋଶୀ ଗହଣେ ଶବ ଯାଏ ଦୂରେ

ନିମଜ୍ଜେ ସୁଖର ସୌଧ ନିରାଶାର ନୀରେ ।

ଏ ଶତାବ୍ଦୀ ଅର୍ଦ୍ଧ ପଥେ ଆଜିର ମାନବ

ଆକୁଳ ଚିତ୍ତେ ଖୋଜୁଛି ଜୀବନର ରାହା

ବାଦ ବିବାଦର ମୂଳେ ଧ୍ୱଂସର ତାଣ୍ଡବ

ଅଥୟ ହେଉଛି ଆଜି ଧରା ସର୍ବଂସହା ।

ଦେଖି ଏହି ମାବର ଅବିବେକୀ ପଣ

ବିଧୁରା ଧରିତ୍ରୀ ଆଜି କାନ୍ଦେ ଏକାକିନୀ

ଜ୍ଞାନ-ବୃକ୍ଷେ ଏ ମାନବ କରେ ଆରୋହଣ

ଯେ’ ଶାଖାରେ ରଖେ ପାଦ, ଦେବ ଅବା ହାଣି ?

ବୁଝି ହୁଏ ନାହିଁ ଆଦି ମାନବ କଳ୍ପନା—

ବିଜୟର ଶଂଖ ଅବା ଶଂକା ମରଣର

ନିଜର ସ୍ୱାର୍ଥ ସାଧନେ ନିଜକୁ ଛନଳା

ସ୍ୱହସ୍ତେ ଶଢ଼ୁଛି ନର ପଥ ପ୍ରଳୟର ।

ଧରଣୀ ଉରସେ ହସେ କ୍ରାନ୍ତି ବିନାଶର

ମରି ମାରିବ ମାନବ ଆଜିର ବିଚାର ।

ସଭ୍ୟତାର ଶେଷସୀମା ପରଶ ପ୍ରୟାସୀ—

ଆଜିର ମାନବ ଅବା ଦସ୍ୟୁ ରତ୍ନାକର ।

ସଂସ୍କାର ନାମେ ସଂହାର ଚାଲେ ଦିବା ନିଶି

ନିର୍ଦ୍ଦୟ ଦମନ ଲୀଳା ଏ ଯୁଗ ଆଚାର ।

‘‘ଆଭ୍ୟନ୍ତରୀଣ ବ୍ୟାପାର’’ ଆଖ୍ୟାରେ ପ୍ରୟୋଜନ

ଅତ୍ୟାଚାର ଅନାଚାର ଧରଣୀର ବକ୍ଷେ—

ଜଟିଳ ରୂପ-ବିଭବେ ଧାଏଁ ଅତି ବେଗେ,

ସମବେଦନାର ସ୍ୱର ଗୁଂଜିତ ପରୋକ୍ଷେ ।

ସଂସାର ସଂହାର ପାଇଁ ସକଳେ ପ୍ରୟାସୀ

ତେଣୁ ସଭ୍ୟ ମାନବରବର୍ବର ଆଚାର—

ନିର୍ମମ ରୂପ ନେଇଛି ଆଜି ହସି ହସି,

ରୋଧିବାକୁ କାହିଁ ଆଜି ଶକତି କାହାର ?

ମରଣ-ପ୍ରୟାସୀ ଆହା ! ଯୁଗ ଅଭିଯାନ

ଶକ୍ତି କାହିଁ ମାନବର କରିବ ବାରଣ ?

ରାଜନୀତି ନାମେ ଚାଲେ ବାଣିଜ୍ୟ ବ୍ୟାପାର

ମନ୍ତ୍ରଣାଳୟେ ଜାଗିଛି ମରଣର ଚିନ୍ତା

ତେଣୁ ସିନା ଲୁପ୍ତ ଆଜି ମାନବ-ଆଚାର

ସନ୍ଦେହ—ଘନାଚ୍ଛାଦିତ ସୁଜ୍ଞାନ—ସବିତା ।

କ୍ଷଣେ କ୍ଷଣେ ପ୍ରଳୟର ସୂଚନା ପ୍ରବାହେ

ଧୈର୍ଯ୍ୟ ଚ୍ୟୁତ ହୁଏ ଆଜି ରାଜନୀତିଜ୍ଞର ।

ଦୁର୍ବଳ ମାନସେ ଅବା ଔଦ୍ଧତ୍ୟର ମୋହେ

ବାଚାଳତା ବଢ଼ି ଅଛି ଶୀତଳ ଯୁଦ୍ଧର !

ଚକ୍ଷୁର ପଲକେ ଲୁପ୍ତ ରାଜତନ୍ତ୍ର କାହିଁ,

ସ୍ତବ୍ଧ କାହିଁ ଜନ-ନେତା ରୁଦ୍ଧ କାରାଗାରେ ।

ସୁଶାନ୍ତ ସାଗର ବକ୍ଷେ ବାଡ଼ବର ବହ୍ନି

ବିଦ୍ରୋହ ଜାଗିଛି ଆଜି ଜନତା-ସାଗରେ ।

ଅନିଶ୍ଚିତତାର କୋଳେ ଆଜିର ମାନବ

ଖୋଜି ବୁଲେ ଶାନ୍ତ’ପଥ, କାହୁଁ ବା ପାଇବ !

ଆଜିର ମାନବ ଭୁଲି ନିଜ ଅବସ୍ଥିତି

ବିଜ୍ଞାନ ଭସ୍ମାସୁରରେ ଦିଏ ଆଶୀର୍ବାଦ

ସେ ରାକ୍ଷସ ମାନସରେ ଉପୁଜାଏ ଭୀତି

ତ୍ରିପୁରେ ଧାବିତ ମନ ପଶ୍ଚାତେ ପ୍ରମାଦ ।

ମନ କରେ ପଳାୟନ ଶିବର ସଦୃଶ

ଯାନ ତାର ଘୂରି ବୁଲେ ମହାଶୂନ୍ୟ ପଥେ

ଶାନ୍ତିର ସନ୍ଧାନ ଅବା ମୃତ୍ୟୁର ପରଶ

ଶ୍ରୀବତ୍ସଲାଂଛନ ହସେ ସୂର୍ଯ୍ୟ ଚନ୍ଦ୍ର ସାଥେ ।

ମୃତ୍ୟୁଂଜୟ, ତଥାପି ସେ ଭକ୍ତ ମାଧବର,

ତେଣୁ ସିନା ଭସ୍ମାସୁରେ ସତ୍ୟର ସନ୍ଧାନେ-

ଦେଲେ ଉପଦେଶ–‘‘ଦିଅ ନିଜ ଶିରେ କର’’,

ଭସ୍ମ ହେଲା ସେ ଅସୁର ନିଜ କର୍ମ ଗୁଣେ ।

ଅଳ୍ପାୟୁ ମାନବ ମନେ ଈଶ୍ୱର ବିଶ୍ୱାସ—

ମରି ଅଚି, ତେଣୁ ସିନା ନିଶ୍ଚିତ ବିନାଶ !

ମାନବ ଜୀବନ ଆଜି କନ୍ଦୁକ କ୍ରୀଡ଼ାର

ସଭ୍ୟତାର କୋଳେ ଆଜି ସହସ୍ର ତାଡ଼ନ ।

ହିଂସାହିଁ ପରମ ଧର୍ମ, କ୍ରନ୍ଦନ ହିଁ ସାର

ବିଚିତ୍ର ଚିନ୍ତାର କୋଳେ ଯୁଦ୍ଧର ଆହ୍ୱାନ ।

ସେ ଆହ୍ୱାନ ଏଡ଼ିବାକୁ ଆଜିର ବିବେକ

ଶକ୍ତି ହରାଇ ବସିଚି ସ୍ୱାର୍ଥର ଆଶ୍ଲେଷେ ।

ନିର୍ଦ୍ଦୟ, ନିର୍ମମ ଆହା ! ଆଜିର ପଥିକ

ବୁଝେ ନାହିଁ ବାସ ତା’ର କାହିଁ ଅବଶେଷେ ।

ବିଂଶ ଶତାବ୍ଦୀର କୋଳେ ବଂଚିବା ବାସନା

ଗାଢ଼ ଆଲିଂଗନେ, ଗତି ମୃତ୍ୟୁ ପାରାବାରେ;

ବିପର୍ଯ୍ୟୟ ଭାବ ବକ୍ଷେ ମହାନୁଶୋଚନା

ତଥାପି ସେ ଭାସି ଯାଏ ଆହା ଅଲକ୍ଷରେ !

ବିଚିତ୍ର ଚିନ୍ତାର ବକ୍ଷେ ତାଣ୍ଡବ ଧ୍ୱଂସର

ରୋଧିବାକୁ ଶକ୍ତି ଆଜି କାହିଁ ମାନବର ?

ସୂକ୍ଷ୍ମ ଭାବନାରେ ଯେବେ ମଜ୍ଜେ ମନ ମୋର;

ବ୍ୟାକୁଳ ଅନ୍ତରେ ଖୋଜେଁ ପ୍ରକୃତିର ପୁରେ

ମରିଛି କି ଦାର୍ଶନିକ, ସୁକବି ଆବର ?

ଅବା ଲାଂଛିତା କଳ୍ପନା ସଭ୍ୟତାର ଦ୍ୱାରେ ?

ଦୂରଦର୍ଶୀ ଦାର୍ଶନିକ ଲଭେ ପରାଭବ,

ଲାଂଛିତ ଏ ଯୁଗେ କବି କଳ୍ପନା ବିଳାସୀ;

ତେଣୁ ସିନା ବିଜ୍ଞାନୀର ବଢ଼ିଛି ଗୌରବ

ହେଲେହେଁ କଳ୍ପନା ତା’ର ଧ୍ୱଂସର ପ୍ରୟାସୀ ।

ଯେଉଁ କଳ୍ପନାର ବଳେ ଯୁଗ ପର୍ଯୁଷିତ

ଗତି କରେ କାଳ କାଳ ନମ୍ରତା ପ୍ରକାଶି

ଆଜିର ବିଜ୍ଞାନ ବଳେ ସେହୁ କଳଂକିତ

ମୁହୁର୍ମୁହୁ ମରଣର ଆବେଗ ପ୍ରୟାସୀ ।

କଳ୍ପନା ବଳେ ପ୍ରକୃତି ଧରି ଅଛି ଧରା;

ବିଜ୍ଞାନୀର ପ୍ରଭାବରେ ହେବ ସର୍ବହରା ?

ଆୟୁଷ୍ମାନ ପଂଚଭୂତ ଅଳ୍ପାୟୁ ଶରୀରେ—

ଯୁଗେ ଯୁଗେ ପ୍ରକାଶିତ; ଅପ୍ରସାରୀ ରୂପ ।

ସୁ-ପ୍ରସାରୀ ସୃଜନର ସକ୍ରିୟ ଅନ୍ତରେ

ଦେଖେଁ ମୁହିଁ ଏ ମାନବ ଅବା ଏକ ସ୍ତୁପ ।

ଅଣୁର ପ୍ରଶାରୀ ରୂପ ସ୍ଥାଣୁ ରୂପ ଧରେ

ଜୀବନ ସଂଯୋଗେ ଗତି ଅବାରିତ ତା’ର—

ତେଣୁ ମହାଶୂନ୍ୟେ ଆଜି ମନ ମୋର ଘୂରେ,

ବିଚିତ୍ର ବିଧାନ ଅବା ଅଟେ ବିଧାତାର !

ଗତିଶୀଳ ଏ ସଂସାରେ ମତିର ତରଂଗେ

ଭାବନାର ବେଲାଭୂମି ସଦା ଜଳମୟ

ଅଳ୍ପାୟୁ ମାନବ ଆହା ! ଖେଳେ ନାନା ରଙ୍ଗେ

ଭଟ୍ଟାର ଡିଂଡ଼ିମ ନାଦେ ବ୍ୟଥାର ବିଜୟ ।

ଯୁଗେ ଯୁଗେ କ୍ରୀଡ଼ାରତ ମରଣର ଅସି

ତଥାପି ପଥ ସନ୍ଧାନେ ଏ ନର ପ୍ରୟାସୀ !

ଏ ଆତ୍ମାର ଇତିହାସ ଆଜିର ପରଶେ

ସହସ୍ର ଯୁଗର ଆଶା, ଅନୁଭବ ନେଇ—

ଗତି କରେ କଣ୍ଟକିତ, କଂକରିଳ ଦେଶେ;

ଜିଜ୍ଞାସା ଜନ୍ମ ନେଇଛି ଶତ ଜିହ୍ୱ ହୋଇ

ସୁଖର ସବୁଜ ବନେ ନିଦାଘ ପରଶେ

ବିଷାଦର ଛାଇ ଯେବେ ମାଡ଼ି ଆସେ ଘନେ

ସୃଜନର ଲୀଳା ଭ୍ରମେ ପ୍ରଶ୍ନର ଆବେଶେ

ଶତେକ ଆଶାୟୀ ଭାଷା ଜାଗେ ଅବା ମନେ ।

ବିବେକ-ଅର୍ଜୁନ ମନେ ସଂଶୟ ସଂଚରେ

ପରାଜୟ ଅନୁଭବେ ଜ୍ଞାନର ଗାଣ୍ଡିବ ।

ବିଦ୍ରୋହୀ ମାନସ ମମ ରାଗ, ଦ୍ୱେଷ ତୀରେ

ଖୋଜି ବୁଲେ ସମାଧାନ,-ଧ୍ୱଂସର ତାଣ୍ଡବ !

ଜ୍ଞାନ ଅବା ଭଲ ମନ୍ଦ ବିବେକ ପ୍ରବାହେ

ବାହି ନେବି ନାବ ଅବା ଆତ୍ମା ମୋର କହେ ।

ଅବିନାଶୀ ଆତ୍ମା ଧାଏଁ ଯେବେ ଯୁଗେ ଯୁଗେ

ସଂଶୟ ଆଣେ ମାନସେ ଜ୍ଞାନର ଗାରିମା

ଭଂଗୁର ଶରୀରେ କାହିଁ ତାହାର ଆବେଗେ

ପାରି ହେବି ଅଜ୍ଞାନର ମମତ୍ୱ-ଦ୍ରାଘିମା !

ଜୀବନର ମୋହ ଯେବେ ଶୋକର କାରଣ

ଭଂଗୁର ଶରୀରେ ମୋର ଧର୍ମର ଧାରଣା—

ଏକ ମାତ୍ର ସାହା; ଏଥେ ସବୁ ଅକାରଣ;

ତଥାପି ତର୍କ ପ୍ରବାହେ ଅନୁଭବ ବଣା ।

ଧର୍ମ ଆଚରଣେ ତର୍କ ମିଶି ଯାଏ ସଦା

କର୍ତ୍ତବ୍ୟ କର୍ମେ ମୋହର ଅଧର୍ମ ସଂଚରେ

ଫଳାଫଳ ଭୋଗେ ଜାଗେ ଆଗ୍ରହ ସର୍ବଦା

ତେଣୁ ସିନା ନିରାଶାରେ ମନ ମୋର ମରେ ।

କଚ୍ଛପ ସମ ଇନ୍ଦ୍ରିୟ କରିଣ ଆୟତ୍ତ

ବାହି ନେବି କର୍ତ୍ତବ୍ୟର ନାବ ଅବିରତ ।

ସଂଦେହ ଆଣେ ମାନସେ କର୍ମ ପ୍ରବଣତା

ଜ୍ଞାନର ପ୍ରସାଦେ ମୁହିଁ ଭୁଂଜିବି ସକଳ ।

ବୁଝି ହୁଏ ନାହିଁ ଆହା ବଢ଼େ ବାଚାଳତା

ସମ୍ମୁଖେ ଦୁଇଟି ମାର୍ଗ; ବଢ଼ିଛି କନ୍ଦଳ ।

ଲୌହର ଅଳସ ଦେହେ କଳଂକ ଲାଗଇ;

ସ୍ୱଭାବର ବଶେ ମୁହିଁ କରିଯିବି କର୍ମ

ଅଳ୍ପାୟୁ ମୁଁ ସୁଖୀ ହେବି ସେବା ଭାବ ନେଇ

ଚକ୍ଷୁର ପଲକ ଯଥା କରେ ନିଜ କାମ ।

କର୍ମରେ ଅସିଦ୍ଧ ଯେବେ ଦୁଃଖର କାରଣ,

ମାନବିକତାର ମୋହ ମମତ୍ୱ -ବନ୍ଧନେ—

ଆଣେ ଯେବେ ପରଧର୍ମେ ଦୁଃଖ ଅକାରଣ

କାମନା ରହିତ କର୍ମ ଜାଗ ମୋର ମନେ ।

ପ୍ରେରଣାର ରଥ ଚକ୍ର କାମ, କ୍ରୋଧ ଦୁଇ

ଜ୍ଞାନ-ଅଶ୍ୱର ସଂଯୋଗେ ବାହି ନେବି ମୁହିଁ ।

ସୃଜନର ଅନାସକ୍ତ କର୍ମ ପ୍ରବଣତା

ସାକ୍ଷୀ ଏ ଯେ ଯୁଗେ ଯୁଗେ ଚନ୍ଦ୍ର ଓ ତପନ

ଇଶ୍ୱରୀ ନିୟମ କାହିଁ ତାହାର ଲିପ୍ତତା ?

ଜ୍ଞାନ କର୍ମ ଯୋଗେ ଚାଲ ହେ ମୋର ଜୀବନ !

ସଫଳତା, ନିଷ୍ଫଳତା ଦୁଇଟି ସୁମନ

ଗ୍ରହଣ କରିବି ମୁହିଁ ଉଦାର ଅନ୍ତରେ

ବୃଥା ସିନା ଆଡ଼ମ୍ୱର ବୃଥା ଅଭିମାନ

‘ସଂଗ୍ରହ’ ଶୋଚନା ଆଣେ ଅନ୍ତିମ ସମରେ ।

ସଂଚାଳିତ ଅବୟବେ ଦ୍ୟୋତନା କର୍ମର

ଅନୁଭବେ ଏକା ନର ଏକାନ୍ତ ବେଳାରେ

ଅମୃତ ପରଶ ଅବା ଧାରଣା ସୃଷ୍ଟିର

କ୍ଷଣେ ମର୍ଜ୍ଜି ହଜିଯାଏ ସ୍ୱାର୍ଥ-ପାରାବାରେ ।

ଶ୍ରଦ୍ଧାର ଶୁଦ୍ଧ ସଲିଳେ ମୁହିଁ ଅବଗ୍ରାହି

ଜ୍ଞାନାଲୋକେ ଉଦ୍‍ଭାସିତ କରିବି ଏ ମହୀ ।

ମଣିଷ ଜୀବନ, ସେ ତ ମୃତ୍ୟୁର ଜନମ

କାଳ ମଧ୍ୟବର୍ତ୍ତିତାରେ ଭୁଲିଯାଏ ମନ

ତେଣୁ ସିନା ବୁଝିବାକୁ ମାନବ ଅକ୍ଷମ

ସ୍ଥିରତା ଆଣୁଛି ଅବା ଗତିଶୀଳ ଯାନ !

ଅଳ୍ପାୟୁ କେ ଶାନ୍ତିକାମୀ ନିଷ୍କାମ କର୍ମରେ

ଶୁଦ୍ଧଜ୍ଞାନ ଆଣେ ସିଦ୍ଧି ସଂକଳ୍ପେ ତାହାର

ଅସ୍ଥିରତା ଆଣେ ତୃଷା ଜୀବନ ସାଗରେ

ତେଣୁ ସିନା ଜ୍ଞାନ ବକ୍ଷେ ଜାଗିଛି ଜୁଆର

‘‘ସେବାହିଁ ଜୀବନ’’ ଏ ତ ମାନବ ଧରମ

ନିଜ ଅର୍ଥେ ଭୁଲିଛି ମୁଁ ଜୀବନର ରାହା

ତେଣୁ ସନା ଅଶାନ୍ତିର ହୋଇଛି ଜନମ

ହରାଇ ବସିଛି ନର ସତ୍ୟ-ମାର୍ଗ ଆହା !

ସତ୍ୟ ନ୍ୟାସେ ଜ୍ଞାନ କର୍ମେ ସଫଳତା ଆଣେ

ଅସତ୍ୟ ପରଶେ ଆଜି ଅସ୍ଥିର ଏ ଜନେ ।

ପରିବାର-ପାରାବାର ଉତ୍‍ଶୃଙ୍ଖଳ ଆଜି

ଜନ୍ମର ନିରୋଧେ ଆଜି ଜାଗ୍ରତ ମାନବ,

ବ୍ରହ୍ମଚର୍ଯ୍ୟର ପାଳନେ ଧାଏଁ ଭାବ ରାଜି ?

ସମସ୍ୟାର ସମାଧାନ ସତେ ବା ମିଳିବ ।

ଆତ୍ମ ଚିନ୍ତା ହଜିଅଛି ଏ ଯୁଗ ପରଶେ

ତେଣୁ ସିନା ଖେଳୁ ଅଛି ଅସ୍ଥିରତା ମନେ;

ଧ୍ୟାନର ଧାରଣା ଯେବେ ମନରେ ନ ପଶେ

ଜୀବନର ଶିଖା ସଦା ଅସ୍ଥିର ପବନେ !

ଇନ୍ଦ୍ର ମେଘ ଖେଳେ ଯେବେ ଗଗନ ମଣ୍ଡଳେ

କଲ୍ୟାଣର ବାରିଧାରା ଅବଶ୍ୟ ଝରିବ;

ଶ୍ରଦ୍ଧାଯୁକ୍ତ ଧୂମଯୋନି ଏ ମନର କୋଳେ

ସମତ୍ୱର ଘନରସେ ଅଚିରେ ଚୁମ୍ୱିବ ।

ଏ ମନର ଥୟ ଲାଗି ଯାବତ ଯୋଜନା—

ଗଢ଼ିବାରେ କିମ୍ପା ହେବି ମୁହିଁ ଆନମନା ?

ପୃଥିବୀ, ଅମ୍ୱୁ, ଆକାଶ, ତେଜ, ବାୟୁ, ମନ

ଅହଂ ଭାବ ତଥା ବୁଦ୍ଧି ଏ ଆଠ ପ୍ରକୃତି

ଜୀବ ରୂପେ ଏ ଜଗତେ କରେ ଆଗମନ

ଦେହର ସଂଯୋଗେ ସୃଷ୍ଟି ହୋଇଛି ଉତ୍ପତ୍ତି

ରସ, ତେଜ, ପରାକ୍ରମ, ସୁଗନ୍ଧ ବା ଶବ୍ଦ

ବୁଦ୍ଧି, ଶୁଦ୍ଧବଳ ଆଦି ଏ ମାନ ଯାହାର

ବାହାର ଆଶୀଷେ ଶିଶୁ ବ୍ୟଗ୍ର କରେ ପାଦ

ମାୟାର କବଳେ ସତ୍ୟ ହୋଇଯାଏ ଦୂର ।

ଅନନ୍ତ କାଳର ବକ୍ଷେ ମାନବ ଜୀବନେ

ବୁଝିହୁଏ ନାହିଁ ମାର୍ଗ କେ’ଅବା ସୁଗମ

ଅନାୟାସେ ଅଜ୍ଞାନର ତରଣି ନିର୍ମାଣେ

ଜ୍ଞାନର ଉପେକ୍ଷା କରି ନାବିକ ବିଭ୍ରମ !

ଜୀବନର ଶେଷ ଯାମେ ଯେ’ ଚିନ୍ତା ଜାଗିବ

ହେ ଈଶ୍ୱର ! ବେଳଥାଉଁ ଦିଅ ଅନୁଭବ ।

ଶ୍ରଦ୍ଧାଯୁକ୍ତ ମନଦେଇ ଏ ମର ଭୁବନେ

ବିଚରିବି ଭକ୍ତି ମାର୍ଗେ ବଂଚି କେତେ ଦିନ

ଆକାଶ-କୁସୁମ ଏ ମୋ ଅଳ୍ପାୟୁ ଜୀବନେ

ସଦା କାମନା ବର୍ଦ୍ଧନେ ଆକୁଳ ମୋ ମନ ।

ନିଷ୍କାମ ଭକ୍ତିର ବଳେ ପାପ ବୃତ୍ତି ମୋର—

ସ୍ୱଇଚ୍ଛାରେ ଲୀନ ହେବ; ଏ ବିଶ୍ୱାସ ନେଇ

ସତ୍ୟ, କ୍ଷମା, ସୁଖ, ଦୁଃଖେ ସକଳେ ଆଦର

ଈଶ୍ୱର ବିଭୂତି ଏ ଯେ, ଅଭିମାନ କାହିଁ

ଈଶ୍ୱର ରୂପ ଦର୍ଶନେ ନୁହେଁ ମୁଁ ଲାଳସୀ

ମାନବ ମୁଁ, ମନ ମୋର ପ୍ରେମର ପୂଜାରୀ

ସମ ଦର୍ଶନରେ ହେବି ସତତ ପ୍ରୟାସୀ

କାଟି ନେବି କାଳ ଏଥେ ବିଶ୍ୱରୂପ ସ୍ମରି ।

ମାନବ-ଜୀବନ-ଲକ୍ଷ୍ୟ ଜାଗ ମୋର ମନେ

କାଟି ନେବି କାଳ, ପଦ୍ମ ପଙ୍କରେ ଯେସନେ

ଭକ୍ତି ବିନା ଜ୍ଞାନ କର୍ମ ଶୁଷ୍କ ଏ ଭୁବନେ

ସାକାର ବା ନିରାକାର ସକଳେ ଭକତି

ମାନବ କଳ୍ପନା ଯେବେ ସମତ୍ୱ ପ୍ରଦାନେ

ମାର୍ଗର ସନ୍ଧାନେ ମୁହିଁ ଲଭିବି ବିରତି ।

ବିକାର ଯୁକ୍ତ ଶରୀର କ୍ଷେତ୍ର ନାମେ ଖ୍ୟାତ

ଆତ୍ମ ଦର୍ଶନରେ ହେବି ସତତ ପ୍ରୟାସୀ

ଏ କ୍ଷୁଦ୍ର ଜୀବନେ ଜାଗ କର୍ମ ଅବିରତ ।

ଅଜ୍ଞାନ ତିମିର ତେଜି ଉଠ ଜ୍ଞାନ ରାଶି !

ପ୍ରକୃତିରୁ ସଦା ଜାତ ସତ୍ତ୍ୱ, ରଜଃ, ତମ

ରଜଃ ତମ ବନ୍ଧନରେ ମନ ବଶୀଭୂତ

ବ୍ୟଭିଚାର କୋଳେ ସଦା ବଢ଼ିଛି ବିଭ୍ରମ

ସତ୍ତ୍ୱର ପରଶ ଜାଗ ମନେ ଅବିରତ ।

ଅଳ୍ପାୟୁ ଜୀବନେ ସଦା ଜାଗେ ଅପକର୍ମ

‘ମୁଁ-କାର’ ବରଜି ମୁହିଁ କରି ଯିବି କର୍ମ ।

ଏ ମର ଜୀବନନେ ଯେବେ ମୃତ୍ୟୁ ଦୁର୍ନିବାର

ମିଥ୍ୟା, ଅଭିମାନ, ହିଂସା ଏ ଆଦି ସକଳ

ଦୂରେ ଫିଂଗି ଯିବା ପାଇଁ ନିଷ୍କାମ କର୍ମର

ଆଶ୍ରୟ ଖୋଜୁଛି ଆତ୍ମା କୋଳେ ମୁହୂର୍ତ୍ତର ।

ପ୍ରତି ମାନବର ବକ୍ଷେ ସତ୍ୟର ସଂଜାତ

ଆତ୍ମ ବିଶ୍ୱାସରେ ଯେବେ ମୁଁ ସନ୍ଧାନେ ରତ

ସ୍ୱାର୍ଥ ଶରାଘାତେ ଭବ ଦୁଃଖେ ଜର୍ଜରିତ

ଗତି କାହିଁ ଦୁର୍ଗମ ତ ସଂସାରର ପଥ ।

ଭାବିଲେ ଜୀବନ ଅଟେ ତପ୍ତ ମରୁ ବାଲି

ନାହିଁ ଅବସର, ଯାତ୍ରୀ ମରେ ଚାଲି ଚାଲି

ଭାବିଲେ ଜୀବନ ଗଢ଼ା ସୁଧା ଉପାଦାନେ

ଚିର ଶାନ୍ତିର ଆଳୟ, ଶୂର-ସୁଖ ଆଣେ ।

ବୃଥା ଭାବନାରେ ତେବେ କିପାଁ ହେବି ବଶ

ବାହି ନେବି ନାବ ଅଗ୍ରେ ନ ହୋଇ ଅବଶ ।

Image